ଯୌତୁକ ପାଇଁ ଆଉଏକ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଓ ଶାଶୁ ଅଟକ

  • ଦୁଇ ମାସ ତଳେ ନୂଆ ସଂସାରରେ ପାଦ ଥାପିଥିଲା ଝିଅ
  • ବୁକୁଫଟା କ୍ରନ୍ଦନ ସହିତ ମା’ର ଅଭିଯୋଗ
  • ଯୌତୁକ ପାଇଁ ଦେଉଥିଲେ ନିର୍ଯ୍ୟାତନା
  • ଶେଷରେ ମୋ’ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି

ବାଲେଶ୍ୱର/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଯୌତୁକ ଯୁଇରେ ଜଳିଗଲା ଆଉ ଏକ ନିରୀହ ଜୀବନ l ଦୁଇ ମାସ ତଳେ ନୂଆ ସଂସାରରେ ପାଦ ଥାପିଥିଲା ଝିଅ । ଶାଶୁ ଘରେ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରୁଥିଲା । କିନ୍ତୁ କାଳ ସାଜିଲା ଯୌତୁକ । ଟଙ୍କା, ସୁନାଗହଣା ପାଇବା ପାଇଁ ଝିଅ ଉପରେ ଆରମ୍ଭ କରି ଦେଇଥିଲେ ନିର୍ଯାତନା । ଆଉ ଶେଷରେ ଝିଅକୁ ମାରି ଟାଙ୍ଗି ଦେଲେ । ବିବାହର ମାତ୍ର ଦୁଇମାସ ପରେ ପରେ ଝିଅର ମୃତ୍ୟୁ ହୋଇଥିବା ବେଳେ ବୁକୁଫଟା କ୍ରନ୍ଦନ କରି ଜଣେ ମା’ ଆଣିଛନ୍ତି ଏପରି ଅଭିଯୋଗ ।

ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତେନ୍ତଳାଗଢିଆ ଗାଁରେ । ମୃତା ନବବଧୂଜଣକ ହେଲେ ଶେରପୁର ଗାଁର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠୀ l ସେ ଦୁଇ ମାସ ତଳେ ତେନ୍ତଳାଗଢିଆ ଗାଁର ନୀଳାମ୍ବର ଦାସଙ୍କ ପୁଅ ଜଗନ୍ନାଥ ଦାସଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ l

ବାପ ଘର ଲୋକଙ୍କ କହିବା କଥା ବିବାହ ସମୟରେ ସେମାନେ ଦାବି ମୁତାବକ ଯୌତୁକ ଦେଇ ପାରି ନ ଥିଲେ। ଲକ୍ଷ୍ମୀପ୍ରିୟାଙ୍କ ବାପଘରୁ ଆସିଥିବା ପଲଙ୍କ ଶାଶୁ ଘର ଲୋକଙ୍କ ପସନ୍ଦ ଆସି ନ ଥିଲା । ଫଳରେ ସେମାନେ ତାକୁ ଫେରାଇ ଦେଇଥିଲେ। ତେଣୁ ଖୁବ୍‌ ଶୀଘ୍ର ଏକ ପଲଙ୍କ ସହ ଟଙ୍କା ଓ ସୁନା ଦେବା ପାଇଁ କହୁଥିଲେ ।

ଏଥିରେ ବିଳମ୍ବ ହେବାରୁ ସେମାନେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏହାପରେ ଆଜି ସକାଳୁ ସରପଞ୍ଚ, ସମିତିସଭ୍ୟ ଫୋନ୍‌ କରି ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ। ତେବେ ଏଠାରେ ପହଞ୍ଚି ଝିଅ ବେକରେ ରଶି ଗୁଡ଼ା ଯାଇଥିବା ବେଳେ ପାଦ ତଳେ ଲାଗିଥିବା ଦେଖିବାକୁ ପାଇଥିଲୁ। ଜ୍ୱାଇଁ ତଥା ତାଙ୍କ ପରିବାର ଲୋକେ ଝିଅକୁ ମାରିଦେଇଥିବା ଲକ୍ଷ୍ମୀପ୍ରିୟାଙ୍କ ମା’ କହିଛନ୍ତି ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ପୁଲିସ୍‌ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଜଗନ୍ନାଥ ଓ ତାଙ୍କ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.