ଇତିହାସ ରଚିଲେ ଲାଞ୍ଜିଆସଉରା ଛାତ୍ର ନବସ

ଭୁବନେଶ୍ୱର/ଗୁଣପୁର/୦୩-୦୯-୨୪ (ପିପିଏସ): ବଣ୍ଡା ଜନଜାତି ପରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଲାଞ୍ଜିଆସଉରା ଜନଜାତି ଛାତ୍ର ନବସ ଶବର। ବୁର୍ଲାସ୍ଥିତ ଭିମ୍‌ସାର୍‌ରେ ଡାକ୍ତରୀ ପଢ଼ିବା ପାଇଁ ନାମ ଲେଖାଇଛନ୍ତି। ନବସଙ୍କ ଏହି ସଫଳତା ଲାଞ୍ଜିଆସଉରା ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଞ୍ଜିଆସଉରା ସମ୍ପ୍ରଦାୟର ପ୍ରଥମ ଛାତ୍ର ଭାବେ ନବସ ଏହି କୃତିତ୍ବ ହାସଲ କରିଛନ୍ତି।ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ ଶଗଡ଼ା ପଞ୍ଚାୟତର ଦୁର୍ଗମ କେରବା ଗ୍ରାମରେ ନବସଙ୍କ ଘର। ବାପା ଅଜିତ ଶବର, ମାଆ କାଲମୀ ଶବର ବୃତ୍ତିରେ ଚାଷୀ। ୨ଏକର ପାହାଡ଼ିଆ ଜମିରେ ଚାଷ କରି ପରିବାର ଚଳାଉଛନ୍ତି ଅଜିତ୍‌। ପିଲାଟି ଦିନରୁ ନବସ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି। ଉଚ୍ଚ ଶିକ୍ଷିତ ହୋଇ ନିଜ ଅଞ୍ଚଳକୁ ବିକାଶ ସ୍ରୋତରେ ସାମିଲ କରିବାକୁ ସ୍ବପ୍ନ ଦେଖିଥିଲେ। ଆମ୍ବାବାଡ଼ିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରି ଥେରୁବାଲିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ୨୦୨୨ ମସିହାରେ ଦଶମ ପାସ କରିଥିଲେ। ଯୁକ୍ତ ଦୁଇ ପଢ଼ିବା ପାଇଁ ନବସ ପୁଣେସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ। ୨୦୨୪ରେ ସଫଳତାର ସହ ଯୁକ୍ତ ଦୁଇ ପାସ କରିଥିଲେ। ମାଟ୍ରିକ ପରୀକ୍ଷାରେ ୮୮ପ୍ରତିଶତ ଏବଂ ଯୁକ୍ତ ଦୁଇରେ ୮୧ପ୍ରତିଶତ ନମ୍ବର ରଖିଛନ୍ତି। ଚଳିତ ବର୍ଷ ନିଟ୍‌ ପରୀକ୍ଷା ଦେଇଥିଲେ।

ସର୍ବଭାରତୀୟ ସ୍ତରରେ ନବସ ୨୦୪୪୦୮ ରୢାଙ୍କ ରଖିଥିବା ବେଳେ ଓଡ଼ିଶା ରାଙ୍କ ୩୮୨୪ ରହିଛି। ଆଦିବାସୀ କୋଟାରେ ୫୩ ରୢାଙ୍କ୍‌ ରଖି ବୁର୍ଲା ଭିମ୍‌ସାର ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିବା ପାଇଁ ସୁଯୋଗ ପାଇଛନ୍ତି। ସଫଳତା ପଛରେ ପୁଣେର ଶିକ୍ଷକ ଅନୁପ କୁମାର ଏବଂ ମନୀଷ କବରାଇଙ୍କ ପ୍ରେରଣା ରହିଥିବା କହିଛନ୍ତି ନବସ। ବାପା, ମାଆଙ୍କ ସହ ଘରେ ଦୁଇ ଭଉଣୀ ଓ ବଡ଼ ଭାଇ ଅଛନ୍ତି। ଦୁଇ ଭଉଣୀ ବାପାମାଆଙ୍କୁ ଚାଷରେ ସହଯୋଗ କରୁଥିବା ବେଳେ ବଡ଼ ଭାଇ ଯୁକ୍ତ୩ ପଢ଼ୁଛନ୍ତି। ନବସଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.