ଚର୍ଚ୍ଚାରେ ଆଇଏଏସ୍‌ ଦମ୍ପତି : ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ସ୍ୱାମୀ, ପଦ ସମ୍ଭାଳିଲେ ସ୍ତ୍ରୀ

  • ଉଭୟ ଡା. ବେଣୁ ବି ଓ ଶାରଦା ମୁରଲିଧରନ ୧୯୯୦ ବ୍ୟାଚ୍‌ର ଆଇଏଏସ୍‌
  • ଆସନ୍ତା ୮ ମାସ ପର୍ଯ୍ୟନ୍ତ ଶାରଦା ମୁରଲିଧରନ ରହିବେ ମୁଖ୍ୟ ଶାସନ ସଚିବ

ତିରୁଅନନ୍ତପୁରମ୍‌/ଭୁବନେଶ୍ୱର,୨-୯-୨୪(ପିପିଏସ) : ରୋଚକ ଏବଂ ବିରଳ ଘଟଣା । ଇତିହାସରେ ପ୍ରଥମ ଥର । ଏମିତି ଘଟଣା ଆପଣ କେବେ ଦେଖିନଥିବେ କି ଶୁଣି ବି ନଥିବେ । ଯାହା ଆଜି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏପରି ଏକ ବିରଳ ଘଟଣା କେରଳ ଇତିହାସରେ ଘଟିଛି । ସ୍ୱାମୀ ମୁଖ୍ୟ ଶାସନ ସଚିବ ପଦରେ ରହି ଅବସର ନେବା ପରେ ଉକ୍ତ ପଦରେ ବସିଛନ୍ତି ତାଙ୍କ ପତ୍ନୀ। ଏପରି ଏକ ଘଟଣା କେରଳ ଇତିହାସରେ ଘଟିଛି । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ନିଜ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

ଏହି ଆଇଏଏସ୍‌ ଦମ୍ପତି ହେଲେ ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ। ଡା. ବେଣୁ ବି କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଛନ୍ତି। ଡା. ବେଣୁ ବିଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ ଶାରଦା ମୁରଲିଧରନଙ୍କ ନାମ ଫାଇନାଲ୍‌ କରିଥିଲେ।

ତେଣୁ ଡା. ବେଣୁ ବି ନିଜ ପତ୍ନୀ ତଥା ସଚିବ ପଦରେ ଥିବା ଶାରଦା ମୁରଲିଧରନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏନେଇ ଥିରୁଅନନ୍ତପୁରମ୍‌ସ୍ଥିତ ସଚିବାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପତିପତ୍ନୀ ଯୋଗ ଦେଇଥିବା ବେଳେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।

ଉଭୟ ଡା. ବେଣୁ ବି ଓ ଶାରଦା ମୁରଲିଧରନ ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ । ମାତ୍ର ଡା. ବେଣୁ ବି ନିଜ ପତ୍ନୀଙ୍କଠାରୁ କିଛି ମାସ ବଡ଼ ଅଟନ୍ତି । ତେଣୁ ସେ ଅବସର ଗ୍ରହଣ କରିଥିବା ବେଳେ ଏହି ପଦରେ ଏବେ ତାଙ୍କ ପତ୍ନୀ ବସିଛନ୍ତି। ଆସନ୍ତା ୮ ମାସ ପର୍ଯ୍ୟନ୍ତ ଶାରଦା ମୁରଲିଧରନ କେରଳର ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ତୁଲାଇବେ । କେରଳ ମୁଖ୍ୟମନ୍ତ୍ରୀ ଉଭୟ ପତିପତ୍ନୀ ବ୍ୟୁରୋକ୍ରାଟଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ଏନେଇ ଶାରଦା କହିଛନ୍ତି, ପ୍ରଶାସନିକ ସେବାରେ ଆମେ ଏକାଠି ୩୪ ବର୍ଷ କାମ କରିଛୁ। ତେଣୁ ଏକାଠି ଚାକିରିରୁ ଅବସର ନେବୁ ବୋଲି ଭାବିଥିଲୁ। ମାତ୍ର ମୁଁ ମୋ ସ୍ୱାମୀଙ୍କଠାରୁ ୮ ମାସ ପରେ ଅବସର ନେବି । ଏବେ ସ୍ୱାମୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପ୍ରକ୍ରିୟା ଏକ ଅଜବ ଅନୁଭୂତି ଦେଇଛି । ଚାକିରି କାଳ ମଧ୍ୟରେ ଏପରି ଅନୁଭବ ମିଳିବ ବୋଲି ଭାବି ନଥିଲି ।

Leave A Reply

Your email address will not be published.