ସୁପ୍ରିମକୋର୍ଟର ପତାକା ଓ ଚିହ୍ନ ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାରା ଦେଶକୁ ଦେଇଛନ୍ତି ବଡ଼ ଉପହାର । ଏହି ପ୍ରତିଷ୍ଠା ଅବସରରେ ସୁପ୍ରିମକୋର୍ଟ ପାଇଁ ନୂଆ ପତାକା ଏବଂ ନୂଆ ପ୍ରତୀକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି ।

ଏହି ନୂତନ ପତାକା ଏବଂ ଚିହ୍ନ ଭାରତର ନ୍ୟାୟ ଏବଂ ଗଣତନ୍ତ୍ରର ସଂକେତ ଭାବରେ ସ୍ଥାନ ପାଇଛି । ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକନୋଲୋଜି ଦ୍ୱାରା ଏହାକୁ ନୂଆ ରୂପ କରାଯାଇଛି । ସୁପ୍ରିମକୋର୍ଟର ନୂଆ ପତାକାରେ ଅଶୋକ ଚକ୍ର, ସର୍ବୋଚ୍ଚ ନ୍ୟାୟାଳୟର ବିଲ୍ଡିଂ ଚିତ୍ର ସହିତ ଭାରତୀୟ ସମ୍ବିଧାନର ପୁସ୍ତକକୁ ସ୍ଥାନ ଦିଆଯାଇଛି । ତେବେ ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ନୂଆ ପତାକା ଏବଂ ଚିହ୍ନକୁ ଉନ୍ମୋଚନ କରିଛନ୍ତି । ଜିଲ୍ଲା ନ୍ୟାୟପାଳିକାର ନେସନାଲ କନଫରେନ୍ସ ଉତ୍ସବରେ ସୁପ୍ରିମକୋର୍ଟର ନୂଆ ପତାକା ଏବଂ ଚିହ୍ନକୁ ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ସମାରୋହରେ ରାଷ୍ଟ୍ରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ମଧ୍ୟ ଉପସ୍ତିତ ରହିଥିଲେ ।

ଦୁଇ ଦିନିଆ ଜିଲ୍ଲାସ୍ତରୀୟ ନ୍ୟାୟପାଳିକାର ଜାତୀୟ ସମ୍ମିଳନୀରେ ସମ୍ବୋଧନ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, “ଦୁଷ୍କର୍ମ ଭଳି ମାମଲାରେ ଯେତେବେଳେ କୋର୍ଟଙ୍କ ରାୟ ଗୋଟିଏ ପଢ଼ି ପରେ ପାରିତ ହେଉଛି ସେତେବେଳେ ସାଧାରଣ ଲୋକ ଭାବୁଛନ୍ତି ଯେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଅତ୍ୟନ୍ତ ଅସମ୍ବେଦନଶୀଳ।” ବିଚାର ପାଇଁ ପଡ଼ି ରହିଥିବା ମାମଲା ଓ ଶୁଣାଣିରେ ବିଳମ୍ବ ହେବା ନ୍ୟାୟପାଳିକା ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ଏଥିସହ ସେ ଉଚିତ ନ୍ୟାୟ ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ସେ
ଦୁଷ୍କର୍ମ ମାମଲା ଗୁଡ଼ିକ ଉପରେ ଫୋକସ କରିଛନ୍ତି। ଏଥିସହ କୋର୍ଟରେ ପଡ଼ି ରହିଥିବା ଦୁଷ୍କର୍ମ ମାମଲାକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକଟ କରିଛି।

ରାଷ୍ଟ୍ରପତି ମୁର୍ମୁଙ୍କ କହିବା କଥା ଗାଁରେ ଲୋକମାନେ ନ୍ୟାୟପାଳିକାକୁ ଭଗବାନ ବୋଲି ବିବେଚନା କରନ୍ତି। କାରଣ ସେମାନେ ନ୍ୟାୟପାଳିକାରୁ ନ୍ୟାୟ ପାଆନ୍ତି। କଥାରେ ଅଛି ଭଗବାନଙ୍କ ଘର ବିଳମ୍ବ ହୋଇପାରେ, କିନ୍ତୁ ଅନ୍ଧକାର ନୁହେଁ। କିନ୍ତୁ ବିଳମ୍ବ କେତେ ହୋଇପାରେ? ଏହା କେତେ ଲମ୍ବା? ଏହା ଉପରେ ଆମକୁ ଚିନ୍ତା କରିବାକୁ ପଡ଼ିଛି। ଜଣେ ନ୍ୟାୟ ପାଇବା ବେଳକୁ ତାଙ୍କର ହସ ସମ୍ଭବତଃ ଲିଭି ଯାଇଥିବ। ତାଙ୍କ ଜୀବନ ସରି ଯାଇଥିବ। ଆମକୁ ଅତ୍ୟନ୍ତ ବ୍ୟାପକ ଓ ଗଭୀର ଭାବେ ଏହାକୁ ଦେଖିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ମାମଲାର ଶୁଣାଣି ବେଳେ ହେଉଥିବା ସ୍ଥଗିତ ପରାମ୍ପରାକୁ ବଦଳାଇବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେଇ ତ୍ୱରିତ ନ୍ୟାୟ ଉପରେ ଫୋକସ କରାଯିବା ଦରକାର। ଦୁଃଖର କଥା ହେଉଛି ଯେ କିଛି ମାମଲାରେ ଅପରାଧ ଘଟାଇବା ପରେ ଲୋକମାନେ ବେଧଡ଼କ ବାହାରେ ବୁଲୁଛନ୍ତି। ହେଲେ ପୀଡ଼ିତା ଭୟରେ ରହୁଛନ୍ତି। ଏ କ୍ଷେତ୍ରରେ ମହିଳାମାନଙ୍କ ସ୍ଥିତି ଆହୁରି ଖରାପ। ଗୋଟିଏ ସଭ୍ୟ ସମାଜ କେବେ ହେଲେ ଏହାକୁ ସମର୍ଥନ କରେନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.