କାନ୍ଥ ପଡ଼ି ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ : ବାପାମା’ ଗୁରୁତର
ବ୍ରହ୍ମପୁର/ଭୁବନେଶ୍ୱର,୧-୯-୨୪(ପିପିଏସ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଗ୍ରାମ ନିକଟ ତୋଟା ସାହିରେ ଅଘଟଣ l କାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ। ଏଥିସହିତ ତାର ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି l
ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ। ବାପା ଓ ମା ଉଭୟ ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତି ହୋଇଛନ୍ତି।
ଗତକାଲି ରାତିରେ ବାପାମା’ଙ୍କ ସହ ଶିଶୁ ପୁତ୍ରଟି ରାତିରେ ଘରେ ଶୋଇଥିଲା। ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ଶିଶୁ ପୁତ୍ରର ଜୀବନ ଚାଲି ଯାଇଥିଲା । ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଦମ୍ପତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସୂଚନାଯୋଗ୍ୟ, କିଛି ଦିନ ହେବା ରାଜ୍ୟରେ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ଘରର ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା ଓ ଏହା ଭୁଶୁଡ଼ି ପଡ଼ିଥିଲା ବୋଲି କୁହାଯାଉଛି ।