ବିପୁଳ ସମ୍ପତ୍ତିର ମାଲିକ’ CHSE ରେକର୍ଡ ସପ୍ଲାୟର୍ ଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଆଉ ମାତ୍ର ୨ ଦିନ ପରେ ନେଇଥାନ୍ତେ ଅବସର । ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା । ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ । ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ହାତରେ ପଡ଼ିଲା ହାତକଡ଼ି l ଭିଜିଲାନ୍ସ ହାତରେ ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ନେଇ ସୂଚନା ଦେଇଛି ଭିଜିଲାନ୍ସ ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିଏଚଏସଇରେ ରେକର୍ଡ ସପ୍ଲାଏର ଥିବା ଶ୍ରୀ ସେଠୀଙ୍କର କାନନବିହାରଠାରେ ୧୦,୮୮୦ ବର୍ଗଫୁଟ ଅଞ୍ଚଳ ଜମିରେ ୪ ମହଲା କୋଠା ରହିଛି । ସେହିପରି ବିଭିନ୍ନ ଲୋକଙ୍କ ନାଁରେ ଶ୍ରୀ ସେଠୀ ୬ଡିସିମିଲରୁ ୧୧ଡିସିମିଲ ପରିମିତର ମୋଟ ୧୬ଟି ମୂଲ୍ୟବାନ ଜମି କ୍ରୟ କରିଛନ୍ତି । ଯାହାକି ତାଙ୍କର ବେନାମୀ ସମ୍ପତ୍ତି ବୋଲି ଜଣାପଡ଼ିଛି ।

ତାଙ୍କଠୁ ୧ଲକ୍ଷ ୭୦ହଜାର ଟଙ୍କା ନଗଦ ଅର୍ଥ ସହ ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ସାମିଲ ଅଛି । ତାଙ୍କର ଟୟୋଟା ଅର୍ବାନ କ୍ରୁଜର ଓ ଟୟୋଟା ଇଟଅସ୍ ଲିଭା ଭଳି ଦୁଇଟି ଚାରିଚକିଆ ସହ ୫ଟି ଦୁଇଚକିଆ ଗାଡ଼ି ଥିବା ମଧ୍ୟ ଜଣାପଡ଼ିଛି ।

ପୁରେନ୍ଦ୍ର ଅବସର ନେବାର ୪ ଦିନ ଆଗରୁ ତାଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ବେଳେ ଏହା ଦୁଇ ଦିନ କାଳ ଚାଲିଥିଲା । ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଏଏସଆଇ ଆଜି ସକାଳୁ ଶ୍ରୀ ସେଠୀଙ୍କ କାନନବିହାର ଘର, ଜଗତସିଂହପୁର ବାଲିକୁଦାର କେଉପଡ଼ାସ୍ଥିତ ପୈତୃକ ଘର ଓ ତାଙ୍କ ସାମନ୍ତରାପୁରସ୍ଥିତ ଅଫିସରେ ଚଢ଼ଉ କରିଥିଲେ।

ତେବେ ପିଅନରୁ ଚାକିରି ଆରମ୍ଭ କରିଥିବା ଶ୍ରୀ ସେଠୀ କିଭଳି କୋଟିକୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବାରେ ସକ୍ଷମ ହେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.