କଟକ, ୨୮-୦୮-୨୪(ପିପିଏସ) : ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ବର୍ତ୍ତମାନ ଚାଲିଥିବା କାର୍ଯ୍ୟଗୁଡ଼ିକ ଦଶହରା ପୂର୍ବରୁ ସରିଯିବ ଏବଂ ଦଶହରା ପରେ ନୂତନମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆନୁଷଙ୍ଗିକ ପଥର କାମ ଚାଲୁରହିଛି । ତେବେ ନୂତନ ମନ୍ଦିର ନିର୍ମାଣବେଳେ ଯେଭଳି ପୂଜାବିଧିରେ କୌଣସି ବାଧା ନଉପୁଜେ ତାହାକୁ ସୁନିଶ୍ଚିତ କରାଯିବ । ମା’ଙ୍କ ଆସ୍ଥାନ ଯେପରି ରହିଛି ସେହିପରି ରହିବ ଏବଂ ମନ୍ଦିର ଚାରିପାଖରେ ଯେଉଁ ନିର୍ମାଣ ହେବ ତାହା ଅତ୍ୟନ୍ତ ସୁଦୃଶ୍ୟ ହେବ ବୋଲି କହିଛନ୍ତି ଶ୍ରୀ ମହତାବ ।
ଦକ୍ଷିଣ ପାର୍ଶ୍ୱରେ ଅଧିକ ଜାଗାନାହିଁ । ଏଠାକାର ରୋଷଶାଳା ଓ ପାର୍ଶ୍ୱମୂର୍ତ୍ତି ହଟିଗଲେ ପ୍ରାୟ ୨୧ଫୁଟ୍ ଜାଗା ମିଳିବ । ମନ୍ଦିର ମଧ୍ୟରେ ଥିବା ଭୋଗ ଦୋକାନ ଗୁଡ଼ିକରେ ଦୋକାନୀମାନେ ମନଇଛା ଦର ନେଉଥିବା ଅଭିଯୋଗକୁ ନେଇ ସାଂସଦ କହିଛନ୍ତି, ସବୁ ଭୋଗ ଦୋକାନରେ ରେଟ୍ ଚାର୍ଟ ରହିବ ଏବଂ ଯେଉଁ ଭକ୍ତ ଯେତିକି ପରିମାଣର ଭୋଗ ଚାହିଁବ ତାକୁ ସେତିକି ପରିମାଣରେ ଭୋଗ ଦିଆଯିବ । ମଠ ଓ ମନ୍ଦିରର ଉନ୍ନତି ପାଇଁ ବିଜେଡି ସରକାର ସମୟରେ ଯେଉଁ ଅର୍ଥରାଶି ଘୋଷଣା କରାଯାଇଥିଲା ତାହା ଆସୁ ଏବଂ ସେ ଟଙ୍କାର ଉତ୍ତମ ବିନିଯୋଗ ମଧ୍ୟ ହେଉ । ବାସ୍ତବରେ ଯେଉଁ ଢଙ୍ଗରେ ଟଙ୍କା ଆଲଟ୍ ହୋଇଛି, ସେହି ଢଙ୍ଗରେ କାର୍ଯ୍ୟ ହେଉଛି କି ନାହିଁ, ତାହାର ନିରୀକ୍ଷଣ କରିବା ପ୍ରଶାସନିକ ଅଧିକାରୀଙ୍କ କାମ । କଟକ ସହରର ଏହି ପ୍ରସିଦ୍ଧ ଶକ୍ତିପୀଠ ଚଣ୍ଡୀମନ୍ଦିରର ଉନ୍ନତୀକରଣ ପାଇଁ ଅର୍ଥ ବରାଦ ହେବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ସାଂସଦ ଶ୍ରୀ ମହତାବ । କଟକ ଜିଲ୍ଲାପାଳ, ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, କଟକ ମୁ୍ୟନିସିପାଲ୍ କର୍ପୋରେସନ୍ର ଅଧିକାରୀ ଏବଂ ମନ୍ଦିର ଟ୍ରଷ୍ଟବୋର୍ଡର ସଦସ୍ୟମାନେ ଉପସ୍ଥିତ ରହି ସାଂସଦଙ୍କୁ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।