ଇସ୍କନ ବୁର୍ଲା ଠାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
ସମ୍ବଲପୁର/ଭୁବନେଶ୍ୱର,ତା୨୮-୮-୨୪ (ପିପିଏସ ) : ଗତ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବୁର୍ଲାସ୍ଥିତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ବହୁ ଉତ୍ସାହ ଓ ଉଦ୍ଧୀପନାର ହ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ବୁର୍ଲା ତଥା ସମ୍ବଲପୁର ଅଞ୍ଚଳରୁ ପାୟ ଦଶହଜାର ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦାନ କରିଥିଲେ | ଜନ୍ମାଷ୍ଟମୀ ଉପଲକ୍ଷେ ସାତଦିନ ଧରି ଭାଗବତ ସପ୍ତାହ ଶ୍ରୀପାଦ ପାଦସେବା ଦାସ ଓ ଶ୍ରୀପାଦ ସାନ୍ଦୀପନି ମୁନି ଦାସଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ଭକ୍ତମାନଙ୍କର ସମାଗମ ମଧ୍ୟରେ ହରିନାମ ସଂକୀର୍ତନ ସହ ଅନେକ ମାଙ୍ଗଳିକ ଦ୍ରବ୍ୟ ଆଦିରେ ଭଗବାନ ଶ୍ରୀକୃଷ୍ଣଙ୍କର ଭବ୍ୟ ଅଭିଷେକ କରାଯାଇଥିଲା | ତତ୍ ସଂଗେ ସଂଗେ ଇସ୍କନ ୟୁଥ ଫୋରମ ପକ୍ଷରୁ ଲୋକଶିକ୍ଷା ପାଇଁ ଆକର୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା | ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ବକ୍ତୃତା, କୁଇଜ଼, ଶ୍ଳୋକ ଆବୃତ୍ତି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ସମସ୍ତ ଆଗନ୍ତୁକ ଭକ୍ତବୃନ୍ଦଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା |
ଏହି ଅବସରରେ ଏମ.ସି.ଏଲ ଅଫିସର୍ସ କ୍ଲବ ଠାରେ ମୋଟିଭେସନାଲ ସେମିନାର ଓ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଯେଉଁଥିରେ ଏମ.ସି.ଏଲ ବୁର୍ଲାର ତିନି ଶହରୁ ଉର୍ଦ୍ଧ୍ବ ଅଫିସର ଯୋଗଦାନ କରିଥିଲେ | ଏହା ସଂଗେ ସଂଗେ ଭି.ଏସ.ଏସ.ୟୁ.ଟି ଠାରେ ସେମିନାର ଓ କୁଇଜ଼ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ ପାଁଚଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକମାନେ ଯୋଗଦାନ କରିଥିଲେ | ମାଝିପାଲି ସ୍ଥିତ ଏମ୍ସ କଲେଜ ଠାରେ ଇସ୍କନ ବୁର୍ଲା ପକ୍ଷରୁ ହରିନାମ ସଂକିର୍ତନ ଏବଂ କୁଇଜ଼ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଯେଉଁଥିରେ ସାତଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ | ଏହି ଅବସରରେ ବୈଦିକ ସଂସ୍କୃତି ଆଧାରିତ ଶ୍ରୀଲ ଏ ସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଦ୍ୱାରା ବିରଚିତ ସାତଶହରୁ ଉର୍ଦ୍ଧ୍ବ ପୁସ୍ତକ ଏମ୍ସ କଲେଜର ଚେୟାରମ୍ୟାନ ଶ୍ରୀ ରାମ ଚନ୍ଦ୍ର ପାତ୍ର ସ୍ଵହସ୍ତରେ ଛାତ୍ରଛାତ୍ରୀ ମାନଙ୍କୁ ବିତରଣ କରିଥିଲେ |
ମନ୍ଦିର ଅଧ୍ୟକ୍ଷ ଶ୍ରୀପାଦ ଅମୀୟ ଦାସ ଏବଂ ଇସ୍କନ ୟୁଥ ଫୋରମ ନିର୍ଦ୍ଧେଶକ ଶ୍ରୀପାଦ ଅସିତ କୃଷ୍ଣ ଦାସ ସୂଚନା ଦେଇଥିଲେ ଯେ, ଆଗାମୀ ଦିନରେ ମନ୍ଦିର କାର୍ଯ୍ୟକ୍ରମ ଆଶାତିତ ଭାବେ ବୃଦ୍ଧି ପାଇବ ଏବଂ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦେବେ |