ଝାରସୁଗୁଡା/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଲେ । ଝାରସୁଗୁଡ଼ା ସଦର ଥାନା ବେହେରାପାଟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସାହାଜାହାନ ଖାଁ । ସାହାଜାହାନ ଘର ଝାରସୁଗୁଡା ସହର ସ୍ଥିତ ମଙ୍ଗଳବଜାର ଅଞ୍ଚଳର ବୋଲି ଜଣାଯାଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଓ ଅନ୍ୟ ଜଣଙ୍କୁ ଅଟକ ରଖିଛି।
ଗତକାଲି ରାତିରେ ଇମ୍ରାନ ଓ ତାଙ୍କ ସହଯୋଗୀ ସାହାଜାହାନଙ୍କ କୁକୁଡ଼ା ଫାର୍ମକୁ ଆସିଥିଲେ। କୌଣସି କଥାକୁ ଇମ୍ରାନ ଓ ସାହାଜାହାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଇମ୍ରାନ ଉତ୍କ୍ଷିପ୍ତ ହୋଇ ସାହାଜାହାନଙ୍କୁ ଗୁଳି କରି ହତ୍ୟା କରିଥିଲେ ଓ ପରେ ମୃତଦେହକୁ ନଦୀରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ପୁଲିସ କୌଣସି ସୁତ୍ରରୁ ଘଟଣା ସଂପର୍କରେ ଖବର ପାଇଥିଲା। ପରେ ଇମ୍ରାନ ଓ ତାର ସହଯୋଗୀକୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା କରିବା ପରେ ଇମ୍ରାନ ପୁଲିସ ନିକଟରେ ସବୁକଥା କହିଥିଲା।