ଧାନ ବିକ୍ରିର ୮ମାସ ପରେ ମଧ୍ୟ ମିଳିଲାନି ଟଙ୍କା : ଧାରଣାରେ ଚାଷୀ

ବଲାଙ୍ଗିର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫରେ ଧାନ ବିକ୍ରୀ କରିଥିଵା ଚାଷୀଙ୍କ ପାଉଣା ୮ ମାସ ପରେ ମଧ୍ୟ ଅଦ୍ୟାବଧି ମିଳି ପାରିନାହିଁ l ଏହାକୁ ନେଇ ଚାଷୀମାନେ ଆଜି ଦ୍ଵିତୀୟ ଦିନରେ ଟିଟିଲାଗଡ଼ ଠାରେ ସମବାୟ ସମିତି ସହାୟକ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଗତକାଲି ଦୀର୍ଘ 3 ଘଣ୍ଟା ଧରି ଧାରଣାରେ ବସିଥିବା ବେଳେ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ l ଛୁଟି ଦିନ ଥିବାରୁ ଆସନ୍ତା କାଲି ଆସିବାକୁ ବୁଝାଇ ଚାଷୀଙ୍କୁ ଧାରଣାରୁ ବିରତ କରିଥିଲେ l ଆଜି ପୁଣି ଥରେ ପୀଡିତ ଚାଷୀ ଭଗବାନ ମାଝୀ, ବିପିନ ରଣା, ଦିବାକର ରଣା ଧାରଣା ଆରମ୍ଭ କରିଛନ୍ତି l

ମିଳିଥିବା ସୂଚନା ଅନୁସାରେ ତେନ୍ତୁଲିଖୁଣ୍ଟି ମଣ୍ଡିରେ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରୀ କରିଥିଲେ l ହେଲେ ଅଦ୍ୟାବଧି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନାହିଁ l ପୁର୍ବରୁ ଅନେକ ଥର ବଲାଙ୍ଗିର ଜିଲାପାଳ, ଜିଲା ସମବାୟ ସମିତି ସମୂହ ନିବନ୍ଧକ, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ଉପଖଣ୍ଡ ସମବାୟ ସମିତି ସମୂହ ସହାୟକ ନିବନ୍ଧକ ସନ୍ତୋଷ ମଲ୍ଲିକଙ୍କୁ ଅଭିଯୋଗ କରିଥିଲେ l ହେଲେ କୌଣସି ନମିଳିବାରୁ ଧାରଣାରେ ବସିବାକୁ ଚାଷୀ ମାନେ ବାଧ୍ୟ ହୋଇଛନ୍ତି l

ଏନେଇ ଟିଟିଲାଗଡ଼ କୃଷକ ସଂଘର୍ଷ ଅଭିଯାନ ସମିତି ସଭାପତି ବାଲକୃଷ୍ଣ, ଧାରଣାରତ ଚାଷୀଙ୍କ ସହ ଆଲୋଚନା କରିବା ସହିତ,l ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କୁ ଭେଟିଥିଲେ l ଏହା ପରେ ଟିଟିଲାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ଧାରଣାସ୍ଥଳକୁ ଯାଇ ଆସନ୍ତା 30 ତାରିଖ ମଧ୍ୟରେ ଧାନ ବିକ୍ରୀ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l

Leave A Reply

Your email address will not be published.