ଝାଡ଼ାବାନ୍ତିରେ ୨୦ରୁ ଉର୍ଦ୍ଧ୍ବ ମୃତ୍ୟୁ : ଅଖାଦ୍ୟ ଶୁଖିଲା ମାଂସ ମୁଖ୍ୟ କାରଣ

*ଅଖାଦ୍ୟ ଛାଡ଼ି ପାରିନାହାନ୍ତି ଜିଲ୍ଲାର ଅଧିକାଂଶ ଲୋକ
*ଗାଈ,ମଇଁଷିଙ୍କ ଶୁଖିଲା ପଚାମାଂସ ଖାଇବାର ପାର୍ଶ୍ବ ପ୍ରତିକ୍ରିୟା
*ଶିକ୍ଷା ଏବଂ ସଚେତନତା ଅଭାବ ଯୋଗୁଁ ଜଟିଳ ହୋଇଛି ପରିସ୍ଥିତି

ରାୟଗଡ଼ା/ଭୁବନେଶ୍ବର,୨୬-୦୮-୨୪ (ପିପିଏସ) : ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି ଝାଡ଼ାବାନ୍ତି । ରାୟଗଡ଼ା ଜିଲ୍ଲାରେ ଗୋଟିଏ ବ୍ଲକ୍‌ରୁ ଅନ୍ୟ ବ୍ଲକ୍‌କୁ ବ୍ୟାପୁଛି । ଗତ ଦୁଇ ମାସ ମଧ୍ୟରେ ୨୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ପ୍ରାଣ ହରାଇ ସାରିଲେଣି । ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ନିୟନ୍ତ୍ରଣ ପାଇଁ ପୂରା ଜୋର ଲଗାଇବା ସତ୍ତ୍ବେ ପରିସ୍ଥିତି ଅଣାୟତ୍ତ। ଶେଷରେ ଝାଡ଼ାବାନ୍ତିର ପ୍ରମୁଖ କାରଣ ସାମ୍ନାକୁ ଆସିଛି। ଲୋକଙ୍କ ଖାଦ୍ୟାଭାସ ହିଁ ଝାଡ଼ାବାନ୍ତିର କାରଣ ବୋଲି ପ୍ରମାଣ ମିଳିଛି।

ଖାଦ୍ୟ ଅଭାବ ହେଉ କିମ୍ବା ବର୍ଷ ବର୍ଷର ଅଭ୍ୟାସ। ଏବେ ବି ଅଖାଦ୍ୟ ଛାଡ଼ି ପାରିନାହାନ୍ତି ଜିଲ୍ଲାର ସିଂହଭାଗ ଲୋକ। ଗାଈ କିମ୍ବା ମଇଁଷି ମାଂସକୁ ଲୋକ ମାସ ମାସ ଧରି ଖାଉଛନ୍ତି। ଏଥିପାଇଁ ମାଂସକୁ ସଂରକ୍ଷିତ କରି ରଖିବାକୁ ଖରାରେ ଦିନ ଦିନ ଧରି ଶୁଖାଇଥାନ୍ତି। ବିଶେଷ କରି ବର୍ଷା ଦିନେ ଏହି ଶୁଖିଲା ମାଂସକୁ ଖାଦ୍ୟ ଭାବେ ଭକ୍ଷଣ କରୁଛନ୍ତି। ଆର୍ଦ୍ରତା ଯୋଗୁଁ ଏହି ମାଂସ ପଚିବା ସହ ସେଥିରେ ବିଭିନ୍ନ ଜୀବାଣୁ ଜନ୍ମ ହୋଇଥାନ୍ତି। ଯାହା ପାଚନତନ୍ତ୍ରକୁ କ୍ଷତି କରିବା କାରଣରୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି।

ଜିଲ୍ଲାରେ ମୋଟ ଜନସଂଖ୍ୟାର ପାଖାପାଖି ୭୦ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ଓ ଜାତି ବର୍ଗର । ଶିକ୍ଷା ଏବଂ ସଚେତନତା ଅଭାବ ଯୋଗୁଁ ଗାଈ,ମଇଁଷିଙ୍କ ପଚାମାଂସ ଖାଇବାର ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ଅବଗତ ନୁହନ୍ତି। ପୂର୍ବରୁ ବର୍ଷା ଦିନେ ହେଉଥିବା ଖାଦ୍ୟ ଅଭାବ ଯୋଗୁ ଖରାଦିନେ ଆମ୍ବ ଟାକୁଆ ଓ ମାଂସକୁ ଶୁଖାଇ ରଖୁଥିଲେ। ସେହି ଧାରା ଆଜି ମଧ୍ୟ ଜାରି ରହିଛି । ଲୋକ ନିଜ ଘର ବାହାରେ ମାଂସ ଶୁଖାଇବା ଦୃଶ୍ୟ କିଛି ଦିନ ହେଲା ବାରମ୍ବାର ସାମ୍ନାକୁ ଆସୁଛି । ଗତବର୍ଷ କାଶୀପୁର ବ୍ଲକରେ କଲେରା ବ୍ୟାପିଥିଲା । ଚଳିତବର୍ଷ କାଶୀପୁର, ମୁନିଗୁଡ଼ା, ବିଷମକଟକ ଓ ଚନ୍ଦ୍ରପୁର ବ୍ଲକ୍‌ରେ ଝାଡ଼ାବାନ୍ତି ବ୍ୟାପିଛି । ଗ୍ରାମବାସୀ ଝାଡ଼ାବାନ୍ତି ଜନିତ ମୃତ୍ୟୁ ବୋଲି କହୁଥିଲେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ଏହାକୁ ସହଜରେ ଗ୍ରହଣ କରିପାରୁନି । ଅଖାଦ୍ୟଜନିତ ମୃତ୍ୟୁ କିମ୍ବା ସଂକ୍ରମିତ ଖାଦ୍ୟ ଯୋଗୁଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା କହୁଛି । ସେହିପରି ରକ୍ତ ଓ ପାଣି ନମୁନା ରିପୋର୍ଟ ସାର୍ବଜନୀନ କରାଯାଉନି ।

Leave A Reply

Your email address will not be published.