ଦୁର୍ଗମ ଝିରିପାଣିରେ ଝାଡ଼ାବାନ୍ତି : ଶତାଧିକ ଗୁରୁତର ମାନଙ୍କ ମଧ୍ୟରୁ ୫ ମୃତ

କନ୍ଧମାଳ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ଦୁର୍ଗମ ଝିରିପାଣି ପଞ୍ଚାୟତରେ ଏକ ଭୋଜିରେ ଖାଇବା ଏବଂ ଦୂଷିତ ପାଣି ପିଇବା କାରଣରୁ ବରଗାଁ, ନାଲକୁଟି, ପୁଡ଼େଣିଗାଁ, କୁନାବାଡ଼ା ଓ ବୁଡ଼େପଦରରେ ଝାଡ଼ାବାନ୍ତି ବ୍ୟାପିଥିଲା। ସପ୍ତାହକ ଭିତରେ ଏଠାରୁ ଶତାଧିକ ଆକ୍ରାନ୍ତ ହୋଇଥିଲେ। ଗତ ତିନିଦିନ ମଧ୍ୟରେ ବରଗାଁର ମୁଶ୍ରୀ ମାଝି (୫୨), ଟାପଡ଼ି ମାଝିଙ୍କ ୫୦ ବର୍ଷୀୟ ପତ୍ନୀ, ନଲକୁଟି ଗ୍ରାମର ଅମିତ ମାଝି (୩୫), ଅମିତଙ୍କ ମା’ ବିଙ୍ଗିଟି ମାଝି (୫୦) ଓ ବୁଡ଼େନପଦରରେ ଜଣକ ମୃତ୍ୟୁ ଅଭିଯୋଗ ହୋଇଥିଲା ।

ଆକ୍ରାନ୍ତଙ୍କ ମଧ୍ୟରୁ କିଛି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଆଉ କିଛି ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ଜଣାପଡ଼ିଛି । ସ୍ବାସ୍ଥ୍ୟଟିମ୍‌ ପକ୍ଷରୁ କିଛି ଗାଁରେ ଆକ୍ରାନ୍ତଙ୍କୁ ଓଆର୍‌ଏସ୍‌ ବଣ୍ଟନ କରାଯାଇଛି । ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏକ ଡାକ୍ତରୀ ଟିମ୍ ଆକ୍ରାନ୍ତଙ୍କ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରୋଗ୍ୟ ପ୍ଲସ୍‌ ଟିମ୍‌, ଆର୍‌ବିଏସ୍‌କେ ଟିମ୍‌, ସ୍ବାସ୍ଥ୍ୟ କର୍ମଚାରୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟାଧିକାରୀ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସରକାରୀ ହିସାବରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଡ଼େନପଦରରେ ଜଣେ ଏବଂ ବରଗାଁରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନ୍ୟପକ୍ଷରେ ଏବେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.