ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ପ୍ରତ୍ୟେକ ଅପରାଧ ଏସସି/ଏସଟି ଆଇନ ପରିସରଭୁକ୍ତ ହେବନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି(ଏସଟି)ଙ୍କ ବିରୋଧରେ କେଉଁ ଅପରାଧ କ୍ଷେତ୍ରରେ ଏସସି/ଏସଟି ଆଇନ ଲାଗୁ ହେବ ତାହା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଯଦି କୌଣସି ବ୍ୟକ୍ତି ଏହି ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କ ଜାତି, ସମ୍ପ୍ରଦାୟ ଏବଂ ଅସ୍ପୃଶ୍ୟତାକୁ ଆଧାର କରି ଅପମାନିତ କରିନାହାନ୍ତି, ତେବେ ସେ କ୍ଷେତ୍ରରେ କଠୋର ଏସସି/ଏସଟି ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି ।

ବିଚାରପତି ଜେ.ବି. ପାର୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଲାୟାଲମ ନ୍ୟୁଜ ଚ୍ୟାନେଲର ସମ୍ପାଦକ ଶାଜନ ସ୍କାରିଆଙ୍କୁ ଏକ ମାମଲାରେ ଆଗୁଆ ଜାମିନ ପ୍ରଦାନ କରିବା ଅବସରରେ ଏହା କହିଛନ୍ତି । ଶାଜନ ଅନୁସୂଚିତ ଜାତି ବର୍ଗର ସିପିଏମ ବିଧାୟକ ପି.ଭି. ଶ୍ରୀନିଜନଙ୍କୁ ‘ମାଫିଆ ଡନ୍‌’ କହିବାରୁ ତାଙ୍କ ନାମରେ ଏସସି/ଏସଟି ଆଇନ ବଳରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ତଳ କୋର୍ଟ ଏବଂ କେରଳ ହାଇକୋର୍ଟ ଶାଜନଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏସସି/ଏସଟି ସମ୍ପ୍ରଦାୟର ଲୋକଙ୍କ ପ୍ରତି କରାଯାଇଥିବା ପ୍ରତ୍ୟେକ ଉଦ୍ଦେଶ୍ୟମୂଳକ ଅପମାନଗୁଡ଼ିକୁ ଜାତିଭିତ୍ତିକ ଅପମାନ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply

Your email address will not be published.