ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସହରାଞ୍ଚଳରେ ଏସ୍‌ସି, ଏସ୍‌ଟି ବ୍ୟକ୍ତି ଜମି ବିକିପାରିବେ

ବାଟ ଫିଟାଇବେ ତହସିଲଦାର
ଆବାସଯୋଗ୍ୟ ବୋଲି ରିପୋର୍ଟ ଦେବେ

କଟକ/୨୫-୦୮-୨୪ (ପିପିଏସ): ସହରାଞ୍ଚଳରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ବ୍ୟକ୍ତିଙ୍କ ନାଁରେ ଥିବା ଘରବାଡ଼ି ଜମି ଆଉ କୃଷି ଉପଯୋଗୀ ନୁହେଁ, ଆବାସିକ ଉଦ୍ଦେଶ୍ୟରେ ବ୍ୟବହାରଯୋଗ୍ୟ ବୋଲି ତହସିଲଦାର ରିପୋର୍ଟ ଦେବେ, ତାହାହେଲେ ଏହାର ବିକ୍ରି କ୍ଷେତ୍ରରେ ଆଉ କୌଣସି ପ୍ରତିବନ୍ଧକ ରହିବନାହିଁ। ସବ୍‌ ରେଜିଷ୍ଟ୍ରାର ଏ କ୍ଷେତ୍ରରେ ଆଉ ମନା କରି ପାରିବେନାହିଁ। ଏସ୍‌ସି-ଏସ୍‌ଟି ବର୍ଗର ବ୍ୟକ୍ତି ଅନ୍ୟ ବର୍ଗର ବ୍ୟକ୍ତିଙ୍କୁ ଘରବାଡ଼ି ଜମି କ୍ଷେତ୍ରରେ ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ ଆକ୍ଟ, ୧୯୬୦ର ଧାରା ୨୨ରେ ଥିବା ବ୍ୟବସ୍ଥା ଲାଗୁ ହେବନାହିଁ ବୋଲି ଦର୍ଶାଇ ଦାୟର ମାମଲାରେ ହାଇକୋର୍ଟ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ଏଭଳି ଜମି ସହରାଞ୍ଚଳରେ କେବଳ ଅନ୍ତର୍ଭୁକ୍ତ ହୋଇଗଲେ ଧାରା ୨୨ ଲାଗୁରୁ ମୁକ୍ତ ହୋଇ ପାରିବନାହିଁ। ପ୍ରାଧିକୃତ ରାଜସ୍ବ କର୍ତ୍ତୃପକ୍ଷଙ୍କୁ ଜମି ସଂକ୍ରାନ୍ତରେ ଏକ ତଦନ୍ତ ରିପୋର୍ଟ ଦେବାକୁ ପଡ଼ିବ। ଏହି ଜମି କେଉଁ ଉଦ୍ଦେଶ୍ୟରେ ବ୍ୟବହାରଯୋଗ୍ୟ, ସେ ନେଇ ତଦନ୍ତ ରିପୋର୍ଟ ରାଜସ୍ବ କର୍ତ୍ତୃପକ୍ଷ ଦାଖଲ କରିବା ଆବଶ୍ୟକ। ସମ୍ବଲପୁର ପୌରାଞ୍ଚଳରେ ଘରବାଡ଼ି ଜମି ପ୍ରସଙ୍ଗକୁ ନେଇ ସମସ୍ତ ମାମଲା ଦାୟର ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳର ପ୍ରାଧିକୃତ ରାଜସ୍ବ କର୍ତ୍ତୃପକ୍ଷ ବା ତହସିଲଦାର ଜମିର ବ୍ୟବହାରଯୋଗ୍ୟ ପ୍ରସଙ୍ଗରେ ମତ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏଥିପାଇଁ ଆବେଦନକାରୀ ତହସିଲଦାରଙ୍କୁ ଅନୁରୋଧ କରିବେ। ଏହା ପରେ ତହସିଲଦାର ପ୍ରତି ଜମିର ବ୍ୟବହାରଯୋଗ୍ୟ ପ୍ରସଙ୍ଗରେ ମତ ଦେବେ। ବର୍ତ୍ତମାନ ସ୍ଥିତିରେ ଜମି ଆଉ କୃଷି ଉଦ୍ଦେଶ୍ୟରେ ବ୍ୟବହାରଯୋଗ୍ୟ କି ନାହିଁ, ସେ ନେଇ ତହସିଲଦାର ୬୦ ଦିନ ଭିତରେ ମତ ଦେବେ। ରାଜସ୍ବ କର୍ତ୍ତୃପକ୍ଷଙ୍କ ମତାମତକୁ ଆଧାର କରି ଆବେଦନକାରୀ ପୁଣି ଜମି ବିକ୍ରି କବଲା ପଞ୍ଜୀକରଣ ପାଇଁ ପଞ୍ଜୀକରଣ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ପାରିବେ। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ହେମନ୍ତ ନାୟକ ଓ ଅନ୍ୟ ୬୦ଜଣଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଯଦି ସହରାଞ୍ଚଳରେ ଥିବା ଘରବାଡ଼ି ଜମି ଆଉ କୃଷି ପାଇଁ ବ୍ୟବହାରଯୋଗ୍ୟ ନୁହେଁ, ଆବାସିକ ଉଦ୍ଦେଶ୍ୟରେ ବ୍ୟବହାରଯୋଗ୍ୟ ବୋଲି ତହସିଲଦାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୁଏ ତେବେ ରାଜସ୍ବ କର୍ତ୍ତୃପକ୍ଷଙ୍କ ବିନା ପୂର୍ବ ଅନୁମତିରେ ଏସସି ବା ଏସଟି ବର୍ଗର ଜମି ମାଲିକ ଅନ୍ୟବର୍ଗର ବ୍ୟକ୍ତିଙ୍କୁ ତାଙ୍କ ଜମି ବିକ୍ରି କରି ପାରିବେ ଓ ସବ୍-ରେଜିଷ୍ଟ୍ରାର ଏଥି ପାଇଁ ଆଉ ମନା କରି ପାରିବେ ନାହଁ। 

ମାମଲାର ବିବରଣୀରୁ ପ୍ରକାଶ ଯେ ସମ୍ବଲପୁର ପୌରାଞ୍ଚଳରେ ଥିବା ଘରବାଡ଼ି ଜମିକୁ ଏସଟି ବର୍ଗର ଆବେଦନକାରୀ ଜଣେ ସାଧାରଣ ବର୍ଗ ବ୍ୟକ୍ତିଙ୍କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏ ନେଇ ବିକ୍ରି କବଲା ଉପସ୍ଥାପନ କରାଯାଇଥିଲା। କିନ୍ତୁ ରାଜସ୍ବ କର୍ତ୍ତୃପକ୍ଷଙ୍କ ଅନୁମତି ନ ଥିବାରୁ ବିକ୍ରି କବଲା ପଞ୍ଜୀକରଣ କରିବାକୁ ସବ୍-ରେଜିଷ୍ଟ୍ରାର ୨୦୨୩, ମେ ୩୦ରେ ମନା କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନକାରୀଙ୍କ ତରଫରୁ ଦାଖଲ ଅପିଲ ୨୦୨୩, ଅଗଷ୍ଟ ୧୬ରେ ଖାରଜ ହୋଇଥିଲା। ଏହା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ନାୟକ ଓ ଅନ୍ୟ ୪୦ଜଣଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ନାୟକ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.