ମହିଳାଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର : ଏଶ୍ୱର୍ଯ୍ୟା

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବିଧାନସଭାରେ ବାଚସ୍ପତିଙ୍କୁ ବିଜେଡି ବିଧାୟକଙ୍କ ବ୍ୟବହାରକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏଶ୍ୱର୍ଯ୍ୟା ବିଶ୍ୱାଳ l ଐଶ୍ୱର୍ଯ୍ୟା କହିଛନ୍ତି, ଗତ ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାକୁ ବିଜେଡି ନିଜର ଜାଗିର ବୋଲି ଭାବୁଥିଲା। କ୍ଷମତାଚ୍ୟୁତ ହେବା ପରେ ଦଳ ତାକୁ ସହଜରେ ଗ୍ରହଣ କରି ନ ପାରି ଗୃହରେ ନିଜର ହତାଶାଭାବ ପ୍ରଦର୍ଶିତ କରିଛି। ମହିଳାଙ୍କୁ ଅସମ୍ମାନ କରିବା ସେମାନଙ୍କ ସ୍ବଭାବ ହୋଇଥିବାରୁ ବର୍ତ୍ତମାନ ମହିଳା ବାଚସ୍ପତିଙ୍କୁ ମାଡ଼ମାରିବା ପାଇଁ ବିଜେଡି ବିଧାୟକମାନେ ପୋଡିୟମ ଉପରକୁ ଚଢ଼ି ଆସିଥିଲେ। ସଭ୍ୟ ସମାଜରେ ଏଭଳି ବ୍ୟବହାରକୁ ସହଜରେ ଗ୍ରହଣ କରାଯାଇ ନ ପାରେ। ବିଧାନସଭା ଭିତରେ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେଉ ନ ଥିବା ଦଳ ନିଜ ବିଧାନସଭା କ୍ଷେତ୍ରରେ ମହିଳାଙ୍କୁ କିପରି ସମ୍ମାନ ଦେଉଥିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ଭାଜପା ତୀବ୍ର ନିନ୍ଦା କରୁଛି । ମହିଳାଙ୍କୁ ଏପରି ଲଜ୍ଜାଜନକ ବ୍ୟବହାର କରିଥିବାରୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ ବୋଲି ଏଶ୍ୱର୍ଯ୍ୟା କହିଛନ୍ତି।

ବିଧାନସଭାରେ ବାଚସ୍ପତିଙ୍କୁ ବିଜେଡି ବିଧାୟକଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ଘଟଣା । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ମହିଳା ବାଚସ୍ପତିଙ୍କୁ ସର୍ବାଧିକ ସମ୍ମାନ ଦେବା ବଦଳରେ ବିରୋଧୀ ଦଳର ଏପରି ବ୍ୟବହାର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ମହିଳାଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର। ଗତ ୨୪ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅପରାଧ ସୀମା ଲଙ୍ଘିଥିଲା। ବିଜେଡି ସରକାର ସମୟରେ ମହିଳାଙ୍କ ପ୍ରତି ଯେଉଁଭଳି ଅପରାଧ ହୋଇଥିଲା, ବୋଧହୁଏ ଅନ୍ୟ କୌଣସି ରାଜ୍ୟରେ ସେପରି ହୋଇ ନ ଥିଲା। ଏହି ସରକାର ସମୟରେ ସାଇବର କ୍ରାଇମଠାରୁ ଆରମ୍ଭକରି ଅନ୍ୟାନ୍ୟ ମହିଳା ବିରୋଧୀ ଆପରାଧିକ କାର୍ଯ୍ୟକଳାପରେ ଓଡ଼ିଶା ୧ନମ୍ବର ଥିଲା। ବିଜେଡି ସବୁବେଳେ ମହିଳାଙ୍କୁ ଅସମ୍ମାନ କରିଛି। ସେଥିପାଇଁ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି କହିଛନ୍ତି ଏଶ୍ୱର୍ଯ୍ୟା।

Leave A Reply

Your email address will not be published.