ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍ : ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା
*ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ଆଶଙ୍କା
*ପ୍ରବଳ ବର୍ଷା ଯୋଗୁଁ ସତର୍କ କଲେ ଏସଆରସି
ସମ୍ବଲପୁର,୨୪-୦୮-୨୪ (ପିପିଏସ) : ମହାନଦୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାକୁ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୮ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ୍ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ତେବେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି । ତେଣୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ , କନ୍ଧମାଳ, ବୌଦ୍ଧ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ । ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ଆଶଙ୍କା ରହିଛି । ସହରାଞ୍ଚଳ ନାଳ ଗୁଡିକରେ ପାଣି ନିଷ୍କାସିତ ହେବାରେ ସମସ୍ୟା ଆସିପାରେ ବୋଲି ପାଣିପାଗ ବିଭାଗ ପରାମର୍ଶ ଦେଇଛି । ତେଣୁ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।