ଜଳବାୟୁ ସମ୍ବନ୍ଧିୟ ଫସଲ ସମସ୍ୟା ଉପରେ ଆଲୋଚନା ଓ ଯୋଜନା ପ୍ରସ୍ତୁତ କୃଷକଙ୍କ ଅଗ୍ରଗତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : କନକ ବର୍ଦ୍ଧନ

କଟକ,୨୪-୦୮-୨୪ (ପିପିଏସ) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆ ଦିଲ୍ଲୀ ଦ୍ୱାରା କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (ଏନ୍‌ଆର୍‌ଆର୍‌ଆଇ)ଠାରେ ଶନିବାର ଆଇସିଏଆର୍ ଆଞ୍ଚଳିକ କମିଟି-୨ର ୨୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷୀ ଏବଂ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଏବଂ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଭାଗୀରଥ ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଘଟଣାବଳୀ ଏବଂ ଅନ୍ୟାନ୍ୟ ପ୍ରତିକୁଳ ପରିବେଶ ପୃଷ୍ଠଭୂମିରେ ପଶ୍ଚିମ ବଙ୍ଗ, ଓଡ଼ିଶା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନ ନିକୋବର ଦୀପ ପୂଞ୍ଜର ଆଦି ରାଜ୍ୟଗୁଡ଼ିକରେ କୃଷି, ଉଦ୍ୟାନ କୃଷି, ପଶୁ ପାଳନ, ଏବଂ ମତ୍ସ୍ୟକ୍ଷେତ୍ର ସହିତ ଜଡ଼ିତ ତଥା ଉଦ୍ୟମାନ ସମସ୍ୟା ବିଷୟରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏହି ବୈଠକର ମୁଖ୍ୟ ଉଦେଶ୍ୟ ଥିଲା ।

ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଶ୍ରୀ ସିଂଦେଓ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବେ ଜଳବାୟୁ ସମ୍ବନ୍ଧିୟ ଫସଲ ସମସ୍ୟା ଉପରେ ଆଲୋଚନା ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । କୃଷକଙ୍କ ଅଗ୍ରଗତି ପାଇଁ ଏହିଭଳି ସଫଳ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ସରକାର ବର୍ତ୍ତମାନ ସାରା ରାଜ୍ୟରେ ଶୀତଳ ଭଣ୍ଡାର ଏବଂ କୋଲ୍ଡ ରୁମ୍ ସୁବିଧା ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଯାହା ଚାଷୀଙ୍କୁ ଅଭାବୀ ବିକ୍ରି ଆଶଙ୍କା ଦୁର କରିବାରେ ସାହାଯ୍ୟ କରିବ ଏବଂ ଏକକାଳୀନ ଉନ୍ନତମାନର ସୂନିଶ୍ଚିତ କରିବ ।

ଭାରତୀୟ କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡଃ ହିମାଂସି ପାଠକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭାରତ ସରକାରଙ୍କ ରାଜ୍ୟ କୃଷି କଲ୍ୟାଣ ମନ୍ତ୍ରୀ ଶ୍ରୀ ଚୌଧୁରୀ କହିଲେ ଯେ ଜଳବାୟୁ ପରିବର୍ତ୍ତନ, ବନ୍ୟା, ମରୁଡ଼ି, ଘୂର୍ଣ୍ଣିବଳୟ, ଅତ୍ୟଧିକ ଗରମ ଲହରୀ, କୀଟ ଏବଂ ରୋଗ ସଂକ୍ରମଣ ଇତ୍ୟାଦି ଘଟଣାଯୋଗୁ ଏହି ଅଞ୍ଚଳର କୃଷକମାନେ ନାନା ବିଧ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାହା ଦ୍ୱାରା ବର୍ତ୍ତମାନ କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି । ଏହାର ମୁକାବିଲା ପାଇଁ ଅନୁସନ୍ଧାନକୁ ପ୍ରାଥମିକତା ଦେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ସଭାରେ ପରିଷଦର ଫସଲ ବିଜ୍ଞାନ ବିଭାଗର ଉପ ମହାନିର୍ଦ୍ଦେଶକ ଡଃ ତୀଳକ ରାଜଶର୍ମା ସ୍ୱାଗତ ଭାଷଣ ଦେବା ସହିତ ଉକ୍ତ ବୈଠକର ଉଦ୍ଦେଶ୍ୟ ଏବଂ ମହତ ବିଷୟରେ ସୂଚନା ଦେଇଥିଲେ । ଏହି ସଭାରେ ଅତିଥି ଓ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଦ୍ୱାରା କୃଷି ସମ୍ବନ୍ଧୀୟ କିଛି ପ୍ରଶାସନ ପୁସ୍ତକଗୁଡ଼ିକୁ ଉନ୍ମୋଚନ କରାଯାଇଥିଲା । ଏହି ସଭାରେ ବହୁ କୃଷି ଗାବେଷକ ଏବଂ ବୈଜ୍ଞାନିକମାନେ ଯୋଗଦେଇ ପରିବର୍ତ୍ତତ ବାୟୁମଣ୍ଡଳରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇଁ ଆଲୋଚନା କରିଥିଲେ । ଶେଷରେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ନିର୍ଦ୍ଦେଶକ ଡଃ ଅମରେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.