ଝରଣା ପାଣି ଏବେ ଜହର : ମାଟି ଓ ପାଣିରେ ହେକ୍ସାଭାଲେଣ୍ଟ କ୍ରୋମିୟମ୍
*ବିଷ ବଳୟରେ “ଲାଇଫ ଲାଇନ”
*ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୭୦ରୁ ଅଧିକ ଗାଁ ପ୍ରଭାବିତ
*ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି ଲୋକମାନେ
କାଳିଆପାଣି/ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଦିନେ ଝରଣା ପାଣିକୁ ସିଧାସଳଖ ପିଇ ହେଉଥିଲା । ଶୋଷିଲା ପଥିକ ଓ ସ୍ଥାନୀୟ ଲୋକେ ଏହାକୁ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ । ଦୈତାରୀ ପର୍ବତମାଳା ଓ ମହାଗିରି ପର୍ବତମାଳାର ମଧ୍ୟବର୍ତ୍ତୀ ରାଇଘାଟିରୁ ଦକ୍ଷିଣରେ ସୁକିନ୍ଦା କ୍ରୋମ୍ ଉପତ୍ୟକା ଆଡ଼କୁ ପ୍ରବାହିତ ଚିରସ୍ରୋତା ଡମଶାଳ ନାଳ ଅଞ୍ଚଳବାସୀଙ୍କ ଜୀବନଧାରା ସାଜିଥିଲା । ଏବେ ଏହି ଝରଣା ପାଣି ଜହର ପାଲଟିଯାଇଛି । ଆମେରିକାର ବ୍ଲାକ୍ସ୍ମିଥ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ବିଶ୍ବ ପ୍ରଦୂଷଣ ଉପରେ ୭ବର୍ଷ ତଳୁ ପ୍ରକାଶ ପାଇଥିବା ରିପୋର୍ଟରେ ବିଶ୍ବର ସର୍ବାଧିକ ୧୦ଟି ପ୍ରଦୂଷିତ ଅଞ୍ଚଳ ମଧ୍ୟରେ କ୍ରୋମ୍ ଉପତ୍ୟକା ଅନ୍ୟତମ ଥିଲା । ପରେ ପୁଣି ଗ୍ରିନ୍ ପିସ୍ ଇଣ୍ଡିଆ ସର୍ଭେ ଏହାକୁ ଦୋହରାଇଛି ।
ବିଭିନ୍ନ କମ୍ପାନୀ କ୍ରୋମ୍ ବର୍ଜ୍ୟକୁ ଟ୍ରିଟ୍ମେଣ୍ଟ ନକରି ସିଧାସଳଖ ଡମଶାଳ ନାଳରେ ଛାଡ଼ୁଛନ୍ତି । ବର୍ଷା ଦିନେ ନାଳ ପାଣି ଗୋଳିଆ ହୋଇଥିବା ସୁଯୋଗରେ ରାତି ସମୟରେ କ୍ରୋମ୍ ବର୍ଜ୍ୟ ଛାଡ଼ି ଦିଆଯାଉଛି । ଏହି କାରଣରୁ ଏହି ଅମୃତ ସ୍ରୋତ ଏବେ ଜହର ପାଲଟିଯାଇଛି । ୨୦୧୮ରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟ ସର୍ଭେ ରିପୋର୍ଟ ଅନୁଯାୟୀ, ଖଣି ଅଞ୍ଚଳର ୭୦ ପ୍ରତିଶତ ଜଳ ଓ ୨୮ ପ୍ରତିଶତ ଜମି କୃଷିକାର୍ଯ୍ୟ ପାଇଁ ଅନୁପଯୁକ୍ତ । ଦୂଷିତ ଜଳ ବ୍ୟବହାର ଦ୍ବାରା ଖଣି ଅଞ୍ଚଳବାସୀ ସଂକ୍ରମଣ, ଅଲ୍ସର୍, ଗ୍ୟାଷ୍ଟ୍ରିକ୍, ମସ୍ତିଷ୍କ ରୋଗ, କର୍କଟ, ଯକୃତ ଓ ବୃକକ୍ ଆଦି ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି । ଖଣି କ୍ଷେତ୍ରରୁ ନିର୍ଗତ କ୍ରୋମ୍ ଓ ନିକେଲ ମିଶ୍ରିତ ମାଟିର ଆସ୍ତରଣ ପାଇଁ ଅଧିକାଂଶ ଚାଷଜମିର ଉର୍ବରତା ହ୍ରାସ ପାଉଛି । ଲକ୍ଷଲକ୍ଷ ହେକ୍ଟର ଜମି ପଡ଼ିଆ ପଡ଼ୁଛି । ବ୍ଲାକ୍ ସ୍ମିଥ୍ ଇନ୍ଷ୍ଟିଚ୍ୟୁଟ୍ର ତଥ୍ୟ ଆଧାରରେ କ୍ରୋମ୍ ଉପତ୍ୟକାରେ ବ୍ୟାପକ ଖଣି ଖନନ ଦ୍ବାରା ୩ କୋଟି ମେଟ୍ରିକ୍ ଟନ୍ରୁ ଅଧିକ ଉତ୍ତୋଳିତ ବର୍ଜ୍ୟ ମାଟି ଓ ଧାତବ ଖଣିଜ ପଦାର୍ଥ ପାରିପାର୍ଶ୍ବିକ ଅଞ୍ଚଳର ବିଭିନ୍ନ ଜମି, ଡମଶାଳ ନାଳ ଓ ବ୍ରାହ୍ମଣୀ ନଦୀ ଅବବାହିକାରେ ପଡ଼ି ରହିଛି । ଧାତବ କ୍ରୋମାଇଟ୍ ଜଳ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ମାରାତ୍ମକ ବିଷ ହେକ୍ସାଭାଲେଣ୍ଟ କ୍ରୋମିୟମ୍ରେ ରୂପାନ୍ତରିତ ହେଉଛି । କ୍ରୋମାଇଟ୍ ଖଣି
ଅଞ୍ଚଳର ୮୪.୩୯ ପ୍ରତିଶତ ମୃତ୍ୟୁ କେବଳ କ୍ରୋମ୍ ପ୍ରଭାବରୁ ହେଉଛି ବୋଲି ନରୱେ ସରକାରଙ୍କ ଅନୁଦାନରେ ଓଡ଼ିଶା ଭଲ୍ୟୁଣ୍ଟାରି ହେଲ୍ଥ ଆସୋସିଏସନ୍ (ଓଭା) ପକ୍ଷରୁ ପ୍ରସ୍ତୁତ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ୧୯୫୦ରୁ ଉପତ୍ୟକାରେ ବ୍ୟାପକ ଖଣି ଖନନ ଯୋଗୁଁ ଡମଶାଳ ନାଳରେ ପ୍ରଦୂଷଣର ମାତ୍ରା ବଢ଼ୁଥିଲେ ହେଁ ଏହା ନିୟନ୍ତ୍ରଣକୁ ଆସିପାରୁନି । ଡମଶାଳର ଉତ୍ପତ୍ତିସ୍ଥଳ ରାଇଘାଟିର ତଳମୁଣ୍ଡରେ ଥିବା ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୭୦ରୁ ଅଧିକ ଗାଁର ଲୋକେ ଏହାର ଜଳ ବ୍ୟବହାର କରି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ।