ବିଳମ୍ବ ପରେ ବିଳମ୍ବ
ନେତା କର୍ମୀଙ୍କ ଧର୍ଯ୍ୟଚ୍ୟୁତି
ବରିଷ୍ଠ ନେତାଙ୍କ ଉପରୁ ଭରସା ତୁଟୁଛି
ଭୁବନେଶ୍ୱର/ ୨୩-୦୮-୨୪ (ପିପିଏସ ): ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବାର ମାସେ ପୂରିଲାଣି । ନୂଆ ପିସିସି ସଭାପତି ଚୟନ ପାଇଁ ଆହୁରି କେତେ ଦିନ ଲାଗିବ ତା’ର ଠିକ ଠିକଣା ନାହିଁ । ଅତି କମ୍ରେ ଆହୁରି ଦେଢ଼ ମାସ ଲାଗିପାରେ । ଲମ୍ବା ପ୍ରକ୍ରିୟା ପରେ ଯାଇ ପିସିସି ସଭାପତି ବଛା ହେବ। ରାଜ୍ୟର ୩୧୪ ବ୍ଲକରେ ଥିବା କଂଗ୍ରେସ ନେତାଙ୍କ ମତ ନେଇ ପିସିସି ସଭାପତି ଚୟନ କରାଯିବ । ସେହି ନେତାଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇ ମତାମତ ନେବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର । ତେବେ ପିସିସି କମିଟି ଗଢ଼ା ହେବା ପର୍ଯ୍ୟନ୍ତ ଷ୍ଟିଅରିଂ କମିଟି ରାଜ୍ୟରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବ । ଆବଶ୍ୟକ ହେଲେ ଜୁମ୍ ମିଟିଂରେ ପ୍ରଭାରୀ ବୈଠକ କରିବେ । ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ବସିଥିବା ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି ।
ସେହିପରି ଆଗାମୀ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ଉଭୟ ବିଧାନସଭାରେ ଓ ବାହାରେ ବିଭିନ୍ନ ପ୍ରସଙ୍ଗରେ ଘେରିବ । ଗଞ୍ଜାମ ମଦମୃତ୍ୟୁ, ଆଇନଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ବ୍ୟାପକ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଷ୍ଟିଅରିଂ କମିଟିରେ ପ୍ରଭାରୀ ଅଜୟ କୁମାର ଅଧ୍ୟକ୍ଷତା କରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଉପନେତା ଅଶୋକ ଦାସ, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ଅପରପକ୍ଷେ, ପ୍ରଭାରୀ ଅଜୟ କୁମାର ଛାତ୍ର କଂଗ୍ରେସ, ଯୁବକଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ ସମେତ ବିଭିନ୍ନ ସାମ୍ମୁଖ୍ୟ ଓ ପ୍ରକୋଷ୍ଠର ବରିଷ୍ଠ ପଦାଧିକାରୀଙ୍କ ସହ ମଧ୍ୟ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ । ପିସିସି ଭଙ୍ଗ ହେବା ସହିତ ସାମ୍ମୁଖ୍ୟ ଓ ପ୍ରକୋଷ୍ଠଗୁଡିକ ଭଙ୍ଗ ହୋଇଥିବାରୁ, ଶୀଘ୍ର ସେଗୁଡିକୁ ଗଠନ କରାଯିବ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।