ଏକମାତ୍ର ପୁତ୍ରର ଅଙ୍ଗଦାନ କଲେ ପିତା : ଅନ୍ୟ ଜଣଙ୍କୁ ଦେଲେ ନୂଆ ଜୀବନ

ନୟାଗଡ଼/ଭୁବନେଶ୍ୱର,୨୨ -୮-୨୪ (ପିପିଏସ ) : ପଚିଶ ବର୍ଷ ବୟସର ଏକମାତ୍ର ପୁତ୍ରର ମୃତ୍ୟୁ ପରେ ଅଙ୍ଗ ଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇଲେ ଅଭିଭାବକ l ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଛାତରୁ ଖସି ପଡ଼ି ଜୀବନ ହାରିଛନ୍ତି ନୟାଗଡ଼ ପୁରୁଣା ସହର ଅଞ୍ଚଳର ଶିବୁନ ସାହୁ । ମାତ୍ର ୨୫ ବର୍ଷ ବୟସରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସତ, କିନ୍ତୁ ଆଜି ସେ ଅଙ୍ଗଦାନ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଶ୍ମଶାନରେ ତାଙ୍କୁ ସମ୍ମାନ ଜଣାଇ ସ୍ଥାନୀୟ ଥାନା ପକ୍ଷରୁ ଗାର୍ଡ ପକ୍ଷରୁ ଅନର ଦିଆଯାଇଛି । ଫଳରେ ଶିବୁନଙ୍କୁ ନେଇ ଆଜି ଜିଲ୍ଲା ବ୍ୟାପୀ ଜୋରଦାର ଚର୍ଚ୍ଚା ହୋଇଛି ।

ନୟାଗଡ଼ ପୁରୁଣା ସହରର ପପି ସାହୁଙ୍କ ପୁଅ ଶିବୁନ। ମାଉସି ଘରକୁ ବୁଲିବାକୁ ଯାଇଥିବା ବେଳେ ରାତିରେ ଛାତ ଉପରେ ଶୋଇଥିଲେ । ପରିସ୍ରା ଯିବା ପାଇଁ ଉଠିଥିବା ବେଳେ ଅସାବଧାନତାରୁ ଦୁଇ ମହଲା ଘର ବିଶିଷ୍ଟ ଛାତରୁ ସେ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ବର ସ୍ଥିତ ଏମସ୍ ହସପିଟାଲକୁ ନିଆଯାଇଥିଲା । ସେଠାରେ ଚାରି ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ବ୍ରେନଡେଡ ହୋଇଯାଇଥିଲା । ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସମ୍ପର୍କୀୟମାନେ ଶିବୁନଙ୍କ ଅଙ୍ଗ ଦାନ ପାଇଁ ତାଙ୍କ ବାପାଙ୍କୁ ବଝାଇଥିଲେ । ଶେଷରେ ଏଥିରେ ପପି ରାଜି ହୋଇଯାଇଥିଲେ । ଗତକାଲି ଶିବୁନଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ତାଙ୍କର ଅଙ୍ଗଦାନ କରିଥିଲେ । ଏହି ଅଙ୍ଗ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କଠାରେ ପ୍ରତିରୋପଣ ହୋଇସାରିଥିବା ପପି ସୂଚନା ପ୍ରଦାନ କରିଛନ୍ତି । ଆଜି ପୁରୁଣା ସହର ସ୍ଥିତ ବାସଭବନରେ ଶିବୁନଙ୍କ ମୃତଦେହ ପହଞ୍ଚିବା ପୂର୍ବରୁ ରାସ୍ତାର ଦୁଇ ପାର୍ଶ୍ବରେ ପ୍ରବଳ ଜନସମାଗମ ହୋଇଥିଲା । ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ଲୋକଙ୍କର ଭିଡ଼ ଜମିଥିଲା ।

Leave A Reply

Your email address will not be published.