ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ବିଧାନ ସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ବୟାନ ସାରା ଓଡିଶାକୁ ଚମକାଇ ଦେଇଛି l ଗୁରୁବାର ଅଧିବେଶନରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି । ଦେବଗଡ଼ ଜିଳା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି। ଜିଏସ୍ଆଇ ଦ୍ବାରା ତମ୍ବାପଥର ଉତ୍ତୋଳନ ବେଳେ ସୁନାର ସନ୍ଧାନ ମିଳିଛି । ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ବି ଜଣାପଡ଼ିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ କହିଛନ୍ତି l
ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର ଜିଲାର ଗୋପୁର-ଗାଜିପୁର, ମାଙ୍କଡ଼ଚୁଆଁ, ସଲେଇକଣା ଓ ଡିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି । ସେହିପରି ମୟୂରଭଞ୍ଜ ଜିଲାର ଯଶୀପୁର,ସୁଲେଇପାଟ, ସୁରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷଣ ଚାଲିଛି । ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ କୋରାପୁଟ, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲାର କେତେକ ସ୍ଥାନରେ ସୁନା ଖଣି ଥିବା ସନ୍ଧାନ ମିଳିଛି ।