ଏସଡିଏମଙ୍କୁ ଲାଠିରେ ପିଟିଲେ କନଷ୍ଟେବଳ : ଭିଡିଓ ଭାଇରାଲ
ପଟନା/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର)ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦରେ ଆଜି ଆଦିବାସୀ ଓ ଦଳିତ ମଞ୍ଚ ସମୂହ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଅନ୍ୟ ରାଜ୍ୟ ଅପେକ୍ଷା ଭାରତ ବନ୍ଦର ବ୍ୟାପକ ପ୍ରଭାବ ବିହାରର ପାଟନାରେ ଦେଖିବାକୁ ମିଳିଛି । ବିହାରରେ ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାକୁ ଆସିଥିବା ଜଣେ କନଷ୍ଟେବଳ, ଏସଡିଏମଙ୍କୁ ଲାଠି ମାଡ଼ କରିଥିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, କନଷ୍ଟେବଳ ଅଜାଣତରେ ଏସଡିଏମଙ୍କ ଉପରକୁ ଲାଠି ଚଳାଇବା ଦେଖି ବରିଷ୍ଠ ପୁଲିସ ଅଧିକାରୀ ଆସି ତାଙ୍କୁ ଅଟକାଇଥିଲେ । ଏହା ପରେ ଏସଡିଏମ ମଧ୍ୟ କନଷ୍ଟେବଳଙ୍କ ଏଭଳି କାମ ଦେଖି ବିରକ୍ତ ହୋଇଥିଲେ । ଏସଡିଏମ ବୋଲି ଜାଣିବା ପରେ କନଷ୍ଟେବଳ ତାଙ୍କୁ କ୍ଷମା ମାଗିବାରୁ ଘଟଣାର ସାମଧାନ ହୋଇଥିଲା । ଏବେ ଏହି ଘଟଣାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ, ଭାରତ ବନ୍ଦ ସମୟରେ, ଡିଜେ ଏବଂ ଠେଲା ଗାଡ଼ି ସହିତ ଡାକ ବଙ୍ଗଳା ଛକ ନିକଟରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରୁଥିଲେ। ଭିଡ଼କୁ ରୋକିବା ପାଇଁ ପୁଲିସ କର୍ମଚାରୀମାନେ ଲାଠିଚାର୍ଜ କରିବା ଆରମ୍ଭ କରିଥିଲେ। ଏହି ସମୟରେ, ଜଣେ ଏସଡିଏମ ଠେଲା ଗାଡ଼ି ଉପରେ ଥିବା ଜେନେରେଟର ବନ୍ଦ କରିବାକୁ ବିକ୍ଷୋଭକାରୀଙ୍କୁ କହୁଥିଲେ। ଜଣେ କନଷ୍ଟେବଳ ତାଙ୍କୁ ଚିହ୍ନି ନପାରି ତାଙ୍କ ଉପରେ ଲାଠିଚାର୍ଜ ଆରମ୍ଭ କରିଦେଇଥିଲେ । ଭାଇରାଲ ଫଟୋ ଓ ଭିଡିଓରେ ଏସଡିଏମ ଧଳା ସାର୍ଟ ପିନ୍ଧିଥିବା ଦେଖାଯାଉଛି । ତେବେ କନଷ୍ଟେବଳମାନେ ଏସଡିଏମଙ୍କୁ ପିଟୁଥିବା ଦେଖି ବରିଷ୍ଠ ପୁଲିସ ଅଧିକାରୀ ତୁରନ୍ତ ଯାଇ କନଷ୍ଟେବଳଙ୍କୁ ଅଟକାଇଥିଲେ ଏବଂ ଏସଡିଏମଙ୍କ ପରିଚୟ ଦେଇଥିଲେ ।