ଭୁବନେଶ୍ବର/କଟକ,୨୧-୮-୨୪ (ପିପିଏସ ) : ଆଳୁର ମୂଲ୍ୟ ଶୀର୍ଷରେ ରହିଥିବା ବେଳେ, ଖୁଚୁରା ବଜାରରେ ଆକାଶଛୁଆଁ ହୋଇଛି ପିଆଜ ଦର। ଗତ ମାସରେ କିଲୋ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଗତ ୧୫ଦିନ ମଧ୍ୟରେ ୫୦ ଟଙ୍କା ଅତିକ୍ରମ କରିଛି। ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ଓ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ଅଞ୍ଚଳରେ ଅମଳ ହୋଇନଥିବାର ପ୍ରଭାବ ମଧ୍ୟ ଓଡ଼ିଶାରେ ଅନୁଭୂତ ହୋଇଛି । ପିଆଜ ମୂଲ୍ୟ ବଢ଼ିବଢ଼ି ଚାଲିଛି ଓ ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ଅକ୍ଟୋବର ମାସରେ ପୂଜା ସମୟ ବେଳକୁ ପିଆଜ ଶତକ ମାରିପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।
ବଜାର ଦର ବୃଦ୍ଧିରେ ଏବେ ଖାଉଟି ନୟାନ୍ତ। ଟିକିଏ ଭଲ ବାଇଗଣ କିଲୋ ୯୦ ଟଙ୍କାରୁ କମ୍ରେ ମିଳୁ ନାହିଁ । କଲରା, ଭେଣ୍ଡି, ଜହ୍ନି, କାକୁଡ଼ି କିଲୋ ୬୦ରୁ ୭୦ ଟଙ୍କା, ବିନ୍ସ ୧୦୦ ଟଙ୍କା, ସଜନାଛୁଇଁ କିଲୋ ୧୫୦ ଟଙ୍କା। ଏହି ସମୟରେ ଅର୍ଦ୍ଧଶତକ ମାରିଥିବା ଆଳୁ ଓ ଟମାଟୋ ସହ ପିଆଜ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଛି। ଆଳୁ, ପିଆଜ, ଟମାଟୋ ସବୁ ଏବେ ୫୦ ଟଙ୍କାରେ ବିକ୍ରି ହେଉଛି। ଏତିକିରେ ଖାଉଟିଙ୍କ ଦୁଃଖ ସରିନି। ବର୍ତ୍ତମାନ ମହାରାଷ୍ଟ୍ରର ସ୍ଥିତି ଦେଖିଲେ, ଆଗକୁ ପିଆଜ ଖାଉଟିଙ୍କୁ ଆହୁରି କନ୍ଦାଇବ ବୋଲି ଜଣାପଡ଼ୁଛି। ବର୍ଷା ବିତ୍ପାତରେ ମହାରାଷ୍ଟ୍ରରେ ପିଆଜ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି। ଫଳରେ ପିଆଜ ମଣ୍ଡିରେ ଦର ଏବେ ଉଚ୍ଚା। ଆହୁରି ମଧ୍ୟ ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍ରୁ ନୂଆ ଫସଲ ଆସିବା ବିଳମ୍ବ ହେବା ଅନୁମାନ କରାଯାଉଛି। ଏହା ବଜାରରେ ଆଗାମୀ ଦିନରେ ଦର ବୃଦ୍ଧି ଆଶଙ୍କା ସୃଷ୍ଟି କରିଛି। ଏହି ସ୍ଥିତିରେ ଓଡ଼ିଶା ବଜାରରେ ପିଆଜ ଶତକ ମାରିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି।
ଦେଶରେ ପିଆଜର ପେଣ୍ଠସ୍ଥଳୀ ମହାରାଷ୍ଟ୍ର ନାସିକ୍ ଏବଂ ଲାସାଲ୍ଗାଓଁରେ ବର୍ଷା ବିତ୍ପାତ ଜାରି ରହିଛି। ପିଆଜ ଫସଲ ବ୍ୟାପକ ମାତ୍ରାରେ କ୍ଷତି ହୋଇଛି। ଫଳରେ ଚାଷୀମାନେ ବାକିଥିବା ପିଆଜକୁ ମଣ୍ଡିକୁ ଛାଡ଼ୁନାହାନ୍ତି। ସେଠାରେ ବର୍ତ୍ତମାନ ପିଆଜ କ୍ବିଣ୍ଟାଲ ପିଛା ୩୪୦୦ ଟଙ୍କାରୁ ଅଧିକ ରହିଛି। ଅପରପକ୍ଷେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ଠାରେ ପିଆଜ ମୂଲ୍ୟ କ୍ବିଣ୍ଟାଲ ପିଛା ୨୫୦୦ରୁ ୩୫୦୦ ଟଙ୍କା ମଧ୍ୟରେ ରହିଛି। ବର୍ଷା ପାଇଁ ନାସିକ୍ରୁ ଯୋଗାଣ ପ୍ରଭାବିତ ହେଉଥିବାରୁ ଓଡ଼ିଶା ଏବେ କର୍ଣ୍ଣୁଲ୍ରୁ ଆସିବାକୁ ଥିବା ନୂଆ ପିଆଜ ଉପରେ ଭରସା ରଖିଛି। ସେଠାରେ ମଧ୍ୟ ସମାନଧରଣର ସ୍ଥିତି।
ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ରନାଥ ସାହୁ କହିଛନ୍ତି ଯେ ନାସିକ୍ରେ ଉଚ୍ଚ ଦର ଯୋଗୁ ଏଠାରେ ପିଆଜ କ୍ବିଣ୍ଟାଲ ପିଛା ୩୮୦୦-୪୨୦୦ ଟଙ୍କା ମଧ୍ୟରେ ରହିଛି। ବର୍ଷା ପାଇଁ ମହାରାଷ୍ଟ୍ରରୁ ଚାଷୀ ମାଲ ଛାଡୁନାହାନ୍ତି। ତେବେ କେନ୍ଦ୍ର ସରକାର ରପ୍ତାନି ବନ୍ଦ କଲେ ଦର ସହଜରେ କମିଯାଆନ୍ତା। ଏଭଳି ସ୍ଥିତିରେ କର୍ଣ୍ଣୁଲ୍ରୁ ନୂଆ ପିଆଜ ଗଣେଶ ପୂଜା ପରେ ଅର୍ଥାତ୍ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆସିବ। ଯଦି ଏହା କିଛି ଦିନ ବିଳମ୍ବ ହୁ ତା’ହେଲେ ପାର୍ବଣରେ ସ୍ଥିତି ଅସମ୍ଭାଳ ହେବ ବୋଲି ସେ କହିଛନ୍ତି।