ଏକମାତ୍ର ପୁଅର ମୃତ୍ୟୁ ପାଇଁ ମା’ବାପାଙ୍କ ଆବେଦନ : ନାହିଁ କଲେ ସର୍ବୋଚ୍ଚ ନ୍ୟାୟାଳୟ

ମୁମ୍ବାଇ/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ୩୦ ବର୍ଷ ବୟସର ଉଚ୍ଚଶିକ୍ଷିତ ଯବାନ ପୁଅ । ହେଲେ ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଛି। ଶରୀର ସମ୍ପୂର୍ଣ୍ଣ ଅକ୍ଷମ । ପୁଅର ମେଡିକାଲ ଖର୍ଚ୍ଚ ପାଇଁ ଘରଦ୍ଵାର ବିକ୍ରି ସରିଲାଣି। ହେଲେ ଆଗକୁ ଖର୍ଚ୍ଚଭାର ସମ୍ଭାଳି ପୁଅର ଯତ୍ନନେବାକୁ ଅସମର୍ଥ ମା’ବାପା । ପୁଅ ସୁସ୍ଥ ହେବା ଆଶା ବି ବହୁତ କମ୍ । ତେଣୁ ପୁଅର ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଲୋଡିଛନ୍ତି ମା’ବାପା । କିନ୍ତୁ ସୁପ୍ରିମକୋର୍ଟ‌ ଏହାକୁ ଖାରଜ କରିଦେଇଛନ୍ତି । ଘଟଣାଟି ମହାରାଷ୍ଟ୍ର ଅନ୍ତର୍ଗତ ମୋହାଲିର । ୬୨ ବର୍ଷୀୟ ଅଶୋକ ରାଣା ଏବଂ ୫୫ ବର୍ଷୀୟା ନିର୍ମଳା ଦେବୀଙ୍କ ଏକମାତ୍ର ପୁଅ ୧୧ ବର୍ଷ ତଳେ ମୋହାଲିରେ ରହି ସିଭିଲ ଇଞ୍ଜିନିୟରିଂ ପଢ଼ୁଥିବାବେଳେ ୪ ମହଲା କୋଠାରୁ ପଡ଼ି ଗୁରୁତର ଆହତ ହୋଇଥିଲେ । ମସ୍ତିଷ୍କରେ ଆଘାତ ଯୋଗୁ ସେବେଠାରୁ ସେ ରୋଗଶଯ୍ୟାରେ ପଡ଼ିଛନ୍ତି । ଖାଦ୍ୟନଳୀ ବାଟେ ତାଙ୍କ ପାକସ୍ଥଳୀକୁ ଖାଦ୍ୟ ଏବଂ ଔଷଧ ଦିଆଯାଉଛି, ଯାହାଦ୍ଵାରା ତାଙ୍କ ଜୀବନ ରକ୍ଷା ହୋଇପାରିଛି । ହେଲେ ସେ ଶତପ୍ରତିଶତ ଅକ୍ଷମ । ସେ ସୁସ୍ଥ ହେବା ଆଶା କମ୍‌ ବୋଲି ଡାକ୍ତର କହୁଛନ୍ତି । ମେଡିକାଲ ଖର୍ଚ୍ଚ ବହନ କରିବା ଲାଗି ଘରଦ୍ଵାର ବିକ୍ରି କରିସାରିଲେଣି । ତେଣୁ ଆଗକୁ ଚିକିତ୍ସା ଜାରି ରଖିବା ଅଭିଭାବକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ମା’ବାପା ସୁପ୍ରିମକୋର୍ଟରେ ଆବେଦନ କରି ପୁଅର ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରିଛନ୍ତି । ଡାକ୍ତରୀ ଟିମ୍ ଗଠନ କରି ତାଙ୍କ ଖାଦ୍ୟନଳୀକୁ କାଢ଼ିଦେବାକୁ ସେମାନେ ଅନୁରୋଧ କରିଛନ୍ତି । ତେବେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି କହିଛନ୍ତି, ଖାଦ୍ୟନଳୀ ବାହାର କରିଦେବା ଫଳରେ ରୋଗୀଙ୍କ ମୃତ୍ୟୁ ହେବା ନିଶ୍ଚିତ । ଖାଦ୍ୟନଳୀ କାଢ଼ିଦେବା ଇଚ୍ଛାମୃତ୍ୟୁର ଅଂଶବିଶେଷ ନୁହେଁ । ତେଣୁ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ଅନୁଷ୍ଠାନ ଦ୍ଵାରା ଉକ୍ତ ରୋଗୀଙ୍କ ଯତ୍ନନେବା ଲାଗି ବ୍ୟବସ୍ଥା କରିବାକୁ ସରକାରଙ୍କୁ କହିଛନ୍ତି ।

Leave A Reply

Your email address will not be published.