କଟକ,୨୦-୮-୨୪(ପିପିଏସ) : କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ପ୍ରସିଦ୍ଧ ଶୈବପୀଠ ସିଂହନାଥ ନିକଟ ଟି-ସେତୁ ଆଲୋକୀକରଣ ଉଦଘାଟନ ସହିତ ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ଏବଂ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା l ଏହି କ୍ରମରେ ବଡ଼ମ୍ବା ଡାକ୍ତରଖାନାରେ ୩କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଫ କ୍ୱାଟର୍ସ ନିର୍ମାଣପାଇଁ ଶିଳାନ୍ୟାସ କରିବା ସହିତ ଖାଲି ଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଗୁଡ଼ିକ ଯଥାଶୀଘ୍ର ପୂରଣ କରାଯିବ ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି l ଏହା ସହିତ ଡାକ୍ତରଖାନାକୁ ଏକ ଜେନେରେଟର ଖୁବ ଶୀଘ୍ର ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି l ଅନୁରୂପ ଭାବରେ ମାଣିଆବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ ୩କୋଟି ୭୬ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ପଂଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ଵର୍ଣ୍ଣଲତା ବେହେରା, ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅଜୟ ସି ପ୍ରମୁଖ ଯୋଗଦେଇଥିଲେ l