ଟିଟିଲାଗଡ଼/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ଗଣତାନ୍ତ୍ରିକ ପଦ୍ଧତିରେ ସାଂସଦ, ବିଧାୟକଙ୍କ ଭଳି ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହେଉଥିବା ସରପଞ୍ଚ ନିଜ ପଦ ରକ୍ଷା ପାଇଁ ମୁଣ୍ଡିଆ ମାରିବାକୁ ପଡୁଛି l ବଲାଙ୍ଗୀର ଜିଲା ତୁରେକେଲା ବ୍ଲକରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l ଏହାକୁ ନେଇ ରାଜ୍ୟରେ ସରପଞ୍ଚଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି l ରାଜ୍ୟ ସରପଞ୍ଚ ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, କଳାହାଣ୍ଡି ଜିଲା ସରପଞ୍ଚ ସଂଘ ସଭାପତି ତଥା ରାଜ୍ୟ ମହାସଙ୍ଘ ଉପଦେଷ୍ଟା ସୁବୋଧ ରଣା ନୂଆଦିଲ୍ଲୀ ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ସହ ଏନେଇ ଜ୍ଞାପନ ପତ୍ର ପ୍ରଦାନ କରିଛନ୍ତି l କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀ, ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଠାରେ ସଂଘର ନ୍ୟାୟୋଚିତ ଦାବି ଉପସ୍ଥାପନ କରାଯାଇଛି l ମହାସଂଘ ଅଭିଯୋଗରେ ଦର୍ଶାଯାଇଛି ଯେ ସମ୍ପୂର୍ଣ୍ଣ ଭାବରେ ଜନତାଙ୍କ ଭାଗିଦାରୀ ରହିଥିବା ପଞ୍ଚାୟତ ଅନୁଷ୍ଠାନ ଏକ ଖୋଲା ବହି l
ପଞ୍ଚାୟତର ସମସ୍ତ ଉନ୍ନୟନ ପ୍ରକଳ୍ପ ନେଇ ପଲ୍ଲିସଭା, ଗ୍ରାମସଭାରେ ଖସଡ଼ା ପ୍ରସ୍ତୁତ ହୋଇଥାଏ l ପଞ୍ଚାୟତ ବିଭାଗ ଇ-ପୋର୍ଟାଲରେ ବୈଠକର ଫୋଟୋ, ବିବରଣୀ, ପ୍ରକଳ୍ପ ଖର୍ଚ୍ଚ ଆଦି ଅପଲୋଡ଼ ହୋଇଥାଏ l ଏନେଇ ସରପଞ୍ଚଙ୍କ ଦ୍ୱାରା କୌଣସି ମନୋମୁଖୀ କାର୍ଯ୍ୟ ହେବା ଆଦୌ ସମ୍ଭବପର ନୁହେଁ l ଏଭଳି କ୍ଷେତ୍ରରେ ପୁରୁଣା ପଞ୍ଚାୟତ ଆକ୍ଟ 1964ର ଖଣ୍ଡ -24 ବଳରେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ସରପଞ୍ଚଙ୍କୁ ଅନାସ୍ଥା ପ୍ରସ୍ତାବରେ ପଦଚ୍ୟୁତ କରିବା ବ୍ୟବସ୍ଥା ବଳବତ୍ତର ରହିବା ଦୁର୍ଭାଗ୍ୟଜନକ l ଏହି ନିୟମ ପ୍ରଣୟନ ସମୟରେ ୱାର୍ଡ ସଭ୍ୟଙ୍କ ଦ୍ୱାରା ପରୋକ୍ଷ ଭାବରେ ସରପଞ୍ଚ ନିର୍ବାଚିତ ହୋଇଆସୁଥିଲେ l ବର୍ତ୍ତମାନ କେନ୍ଦ୍ର ସରକାର ଅନେକ ପୁରୁଣା ଆଇନକୁ ନିରସ୍ତ୍ର କରିଥିବା ବେଳେ ପଞ୍ଚାୟତ ଅନୁଷ୍ଠାନକୁ ନିର୍ବଳ କରୁଥିବା ଏହି ଆଇନକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି l ଏହା ସହ ପଞ୍ଚାୟତ ଅନୁଷ୍ଠାନକୁ ତଳସ୍ତରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଦାନ କରାଯାଉଥିବା ସିଏଫସି ପାଣ୍ଠି ହ୍ରାସ ବନ୍ଦ କରାଯିବାକୁ ସଂଘ ଦାବି କରିଛି l