ଡି ଏ ଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ୭୮ ତମ ” ସ୍ବାଧିନତା ” ଦିବସ ପାଳିତ ।

ଛେଣ୍ଡିପଦା :୧୬-୦୮-୨୪(ପିପିଏସ ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବଡମହିତଳା ସ୍ଥିତ ଡି ଏ ଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ମହାଆଡ଼ମ୍ବର ସହକାରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜେଏସପିଏଲ ସି.ଏସ୍.ଆର ର ମୁଖ୍ୟ ଜୟନ୍ତ କୁମାର ମହାନ୍ତି ଯୋଗଦେଇ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଆଗାମୀ ଦିନରେ ନିଜର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରକାଶିତ କରି ରାଷ୍ଟ୍ର ଗଠନରେ ବ୍ରତୀ ହେବା, ପରିବେଶ ପ୍ରତି ସଚେତନ ହେବା ଓ ସର୍ବୋପରି ଦେଶର ହିତ ସାଧନ କରି ଦେଶର ଗୌରବକୁ ସାରା ବିଶ୍ବରେ ପ୍ରସାରିତ କରିବା ପାଇଁ ଚେଷ୍ଟା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥଲେ ।

ପ୍ରଧାନ ଶିକ୍ଷକ ଦିବସଟିର ମହତ୍ ଉଦ୍ଦେଶ୍ୟ ଓ ସ୍ବାଧିନତା ସଂଗ୍ରାମୀଙ୍କୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ମରଣ କରାଇ ସେମାନଙ୍କ ଗୁଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିବା ପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ସାଇ ସଲୋନୀ ପଣ୍ଡା, ଦିବ୍ୟଜ୍ୟୋତି ସାହୁ, ଶ୍ରୀୟା ନାୟକ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ରୀଡ଼ା ଶିକ୍ଷକ କୃଷ୍ଣ କୁମାର୍ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାରୋଟି ହାଉସ୍ , ସ୍କାଉଟ, ଗାଇଡ୍ ଓ ରେଡକ୍ରସ୍ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ୍ କରାଯାଇଥିଲା । ଶିକ୍ଷକ ଶୁଭ୍ରାଂଶୁ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଓ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ରୀ ମାନେ ନୃତ୍ୟ ଓ ସ୍ବାଗତ ସଙ୍ଗୀତ ପରିବେଷଣ କରିଥଲେ । କ୍ଲଷ୍ଟର ସ୍ତରରୁ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତା ତଥା, ଚିତ୍ରାଙ୍କନ, ବକ୍ତୃତା, ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ ଆଦିରେ ଅଂଶଗ୍ରହଣ କରି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବା ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଶିକ୍ଷୟିତ୍ରୀ ମଧୁମିତା ସାହୁ ମଞ୍ଚ ପରିଚାଳନା ଓ ଦିପ୍ତିରେଖା ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଦିବସଟି ଉପଭୋଗ୍ୟ ହୋଇପାରିଥିଲା ।

Leave A Reply

Your email address will not be published.