ପାଉଁଶ ଗୁଣ୍ଡରେ ଅଣନିଶ୍ୱାସ ଜନସାଧାରଣ : ବିନା ଅନୁମତିରେ ୫୦ ପାଉଁଶ ପାହାଡ଼

ଝାରସୁଗୁଡ଼ା,୧୧/୮/୨୪(ପିପିଏସ) : ବର୍ଷେ ହେଲା ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲୋ’ ଲ୍ୟାଣ୍ଡ ଫିଲିଂ ନାମରେ କୌଣସି ଖାଲୁଆ ଜମିରେ ପାଉଁଶ ପୋତିବାକୁ ଅନୁମତି ଦିଆଯାଇନାହିଁ। ଖୋଦ ଏସ୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟର ଏହା ସୂଚନା । ଅଥଚ ଏହି ଅବଧି ଭିତରେ ଝାରସୁଗୁଡ଼ା ସହର ଓ ଆଖପାଖ ପଞ୍ଚାୟତ‌ରେ ପ୍ରାୟ ୫୦ଟି ସ୍ଥାନରେ ପାଉଁଶର ପାହାଡ଼ ସୃଷ୍ଟି କରିଦିଆଗଲାଣି । ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେଦାନ୍ତ କାରଖାନାର ଯେଉଁ ହାତଗଣତି ୧୦-୧୨ଟି ଡମ୍ପିଂସ୍ଥଳର ଆକଳନ କରାଯାଇଥିଲା, ତା’ଠାରୁ ଢେରଗୁଣା ଅଧିକ ଡମ୍ପିଂ କରାଯାଇଛି । ତେବେ ଏହିସବୁ ବେଆଇନ ପାଉଁଶ ଡମ୍ପିଂର ଆକଳନ କେବେ ହେବ ବୋଲି ପ୍ରଶ୍ନ ଉଠିଲାଣି । ଏହି କିଛିଦିନ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ମାଳମାଳ ବେଆଇନ ପାଉଁଶ ଡମ୍ପିଂ ଘଟଣା ସାମ୍ନାକୁ ଆସିଛି । ସବୁଠି ପୁଣି ପାଉଁଶ ପୋତିବାର ସମାନ କୌଶଳ । ପ୍ରଥମେ ସରକାରୀ ଜମିରେ ଥିବା ମୋରମ୍‌ ଖୋଳି ବିକ୍ରି କରିଦିଆଯାଉଛି l ପରେ ସେହି ସ୍ଥାନରେ କେଉଁଠି ୫୦ ଫୁଟ୍‌ ତ କେଉଁଠି ଶହେ ଫୁଟ୍‌ ଉଚ୍ଚର ପାଉଁଶ ପାହାଡ଼ ତିଆରି କରିଦିଆଯାଉଛି ।

ଝାରସୁଗୁଡ଼ା ସହର ଉପକଣ୍ଠରେ ଥିବା ଲହଣ୍ଡାବୁଡ଼ର ହାତୀପଡ଼ାର ଟିପିଏସ୍‌ଏଲ୍‌ କାରଖାନା ନିକଟରେ ଏଭଳି ଏକ ନୂତନ ପାହାଡ଼ ତିଆରି କରାଯାଇଥିବା ଅଭିଯୋଗ ହୋଇଥିଲା। ସେଠାରେ ଥିବା ମୋରମ୍‌ ଖାଦାନକୁ କାଟି ପାଉଁଶ ଡମ୍ପିଂ ୟାର୍ଡ କରାଯାଇଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୫ ଏକର ଜାଗାରେ ମୋରମ୍‌ ଖଣିରୁ ମୋରମ୍‌ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବିକ୍ରି କରିଦିଆଯାଇଥିବା ବେଳେ ଏଠାରେ ପ୍ରାୟ ୫୦ ଫୁଟ୍‌ ଉଚ୍ଚର ପାଉଁଶ ପାହାଡ଼ ତିଆରି କରିଦିଆଯାଇଛି। ପାଉଁଶ ନ ଉଡ଼ିବା ପାଇଁ ଓ ଲୋକଙ୍କ ନଜରକୁ ନ ଆସିବା ପାଇଁ ପାହାଡ଼ ଉପରେ ମୋରମ୍‌ର ଏକ ପତଳା ଆସ୍ତରଣ ବି ଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷାରେ ଏହି ମୋରମ ଆସ୍ତରଣ ଭାସିଯିବା ପରେ ପାଉଁଶ ପାହାଡ଼ ଜଳଜଳ ହୋଇ ଦେଖାଯାଉଛି । ଦ୍ବିତୀୟରେ ବିଜୁ ଏକ୍ସପ୍ରେସ୍‌ ୱେର ପଞ୍ଚପଡ଼ା ନିକଟସ୍ଥ ଆର୍‌ଓବି କଡ଼ରେ ମଧ୍ୟ ରାସ୍ତା ତିଆରି ନାଁରେ ହଜାର ହଜାର ଟନ୍‌ ପାଉଁଶ ଢାଳି ଦିଆଯାଇଛି । ଏବେ ଚାଷ ସମୟ ହୋଇଥିବା ବେଳେ ଏହିସବୁ ପାଉଁଶ ଗଦାରୁ ପାଉଁଶ ଗୁଣ୍ଡ ବୋହି ଲୋକଙ୍କ ଜମିରେ ପଶୁଛି । କେବଳ ସେତିକି ନୁହେଁ, ରାସ୍ତା ତିଆରି ନାଁରେ ଠାଏଠାଏ ପାଉଁଶ ଗଦା କରି ଦିଆଯାଇଥିବାରୁ ଉକ୍ତ ଅଞ୍ଚଳର ଲୋକମାନେ ଘରୁ ବାହାରି ପାରୁନଥିବା ଅଭିଯୋଗ କରିଛନ୍ତି । ପାଉଁଶ ଡମ୍ପିଂ ଘଟଣାରେ ୨ଟି ବିଭାଗର ସିଧାସଳଖ ସମ୍ପୃକ୍ତି ରହୁଛି । ପ୍ରଥମେ ଏହି ପାଉଁଶ ଡମ୍ପିଂ ପାଇଁ ବେଆଇନ ଭାବେ ମୋରମ୍‌ କାଟି ନିଆଯାଉଥିବା ବେଳେ ଖଣି ଓ ଇସ୍ପାତ ବିଭାଗ ନିରବଦ୍ରଷ୍ଟା ସାଜୁଛି । ଏ ଦିଗରେ ଖଣି ବିଭାଗ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ପ୍ରଥମେ ମୋରମ୍ ଖୋଳି ୪୦-୫୦ ଫୁଟ୍‌ର ଗର୍ତ୍ତ କରିବା ପରେ ପାଉଁଶ ଡମ୍ପିଂ କରାଯାଉଛି। ଅନ୍ୟପଟେ ପାଉଁଶ ଡମ୍ପିଂ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.