ଅଗ୍ନିକାଣ୍ଡ ଗୁଜବ:ଚଳନ୍ତା ଟ୍ରେନ୍ରେ ଦଳାଚକଟା
ଲକ୍ଷ୍ନୌ/ଭୁବନେଶ୍ୱର: ୧୧-୦୮-୨୪(ପିପିଏସ ) ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ହଠାତ୍ ୫୦ ବେଗରେ ଚାଲୁଥିବା ପଞ୍ଜାବ ମେଲ୍ ଏକ୍ସପ୍ରେସରେ ଯାତ୍ରୀଙ୍କ ଚିତ୍କାର ଶୁଣାଯାଇଥିଲା। ବଞ୍ଚାଅ ବଞ୍ଚାଅ ଚିତ୍କାର ସହିତ ଲୋକେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ଦଳାଚକଟା ଆରମ୍ଭ କରିଥିଲେ।ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଡେଇଁବା ଆରମ୍ଭ କରିଥିଲେ। ତେବେ ଟ୍ରେନକୁ ତୁରନ୍ତ ବନ୍ଦ କରାଯାଇଥିଲା। ପାଇଲଟମାନେ ଯାତ୍ରୀମାନଙ୍କୁ ବିଶୃଙ୍ଖଳାର କାରଣ ପଚାରିଥିଲେ। ଯାତ୍ରୀମାନେ କହିଥିଲେ ଯେ ଟ୍ରେନରେ ନିଆଁ ଲାଗିଯାଇଛି। ଏହା ଶୁଣିବା ପରେ ସମଗ୍ର ଟ୍ରେନକୁ ଖାଲି କରାଯାଇଥିଲ। କିନ୍ତୁ କୌଣସି ସନ୍ଦେହଜନକ ତଥ୍ୟ ମିଳି ନ ଥିଲା ଅବା କୌଣସି କୋଚରେ ଅଗ୍ନିକାଣ୍ଡ ଦେଖିବାକୁ ମିଳି ନଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପୁଲିସ୍କୁ ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ଶାହାଜାହାନପୁର ପୁଲିସ୍ ଷ୍ଟେସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ଲାଗି ଶାହାଜାହାନପୁର ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ। କିଏ ଏହି ଗୁଜବ ପ୍ରଚାର କରିଛି ସେନେଇ ତଦନ୍ତ ଚାଲିଛି। ଏହାଦ୍ବାରା ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା ବୋଲି ଅଧିକାରୀମାନେ କହିଛନ୍ତି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ସକାଳ ପ୍ରାୟ ୮ ଟା ସମୟରେ ବରେଲି ଏବଂ କାଟ୍ରା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ସେତେବେଳେ ଟ୍ରେନ୍ ନଦୀ ଉପରେ ଥିବା ବ୍ରିଜ୍ ଉପରେ ଥିଲା। ଚିତ୍କାର ଆରମ୍ଭ ହେବା ବେଳକୁ ଟ୍ରେନର ଅଧା ବ୍ରିଜ ଉପରେ ଥିଲା ଏବଂ ଟ୍ରେନର ଅଧା ଟନେଲ ଭିତରେ ଥିଲା। ଟ୍ରେନ୍ ନମ୍ବର ୧୩୦୦୬ ହାୱାଡରୁ ଅମୃତସରକୁ ଯାଉଥିଲା। ସର୍ବପ୍ରଥମେ ଜେନେରାଲ କୋଚରେ ଅଗ୍ନିକାଣ୍ଡ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପାଇଲଟ ଟ୍ରେନକୁ ଅଟକାଇ ପ୍ରଥମେ ଭୟଭୀତ ଯାତ୍ରୀମାନଙ୍କୁ ନିୟନ୍ତ୍ରଣ କଲେ ଏବଂ ପରେ ସମସ୍ତେ ଏକାଠି ବଗି ଖାଲି କଲେ । ରେଳ ଅଧିକାରୀ, ଜିଆରପି-ଆରପିଏଫ କର୍ମଚାରୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରତ୍ୟେକ ବଗି କୁକୁର ଏବଂ ବୋମା ସ୍କ୍ବାଡ ଦ୍ବାରା ଖୋଜା ଯାଇଥିଲା, କିନ୍ତୁ ଅନୁସନ୍ଧାନରେ କୌଣସି ସନ୍ଦେହଜନକ ପଦାର୍ଥ ମିଳି ନ ଥିଲା।
ଟ୍ରେନ୍ କାଟ୍ରା ଷ୍ଟେସନରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲା । ରେଳବାଇ ଏବଂ ପୁଲିସ୍ ଅଧିକାରୀମାନେ ସନ୍ତୁଷ୍ଟ ହେବା ପରେ ଟ୍ରେନଟି ଶାହାଜାହାନପୁରକୁ ପଠାଯାଇଥିଲା। ଆହତମାନଙ୍କୁ ଶାହାଜାହାନପୁର ରେଳ ଷ୍ଟେସନରୁ ଡାକ୍ତରଖାନାକୁ ନିଆଯାଇଥିଲ। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।