ପ୍ରଜାତନ୍ତ୍ର ଓଡ଼ିଆ ଅସ୍ମିତାର ପ୍ରତିନିଧି: ମୁଖ୍ୟମନ୍ତ୍ରୀ

ବିଷୁବ ମଣ୍ଡପରେ ୭୭ ତମ ବାର୍ଷିକୋତ୍ସବ

କଟକ,୯/୮/୨୪(ପିପିଏସ): ୧୯୨୪ ଅକ୍ଟୋବରରେ ଡକ୍ଟର ମହତାବ ଲେଖିଥିଲେ, ପ୍ରଜାତନ୍ତ୍ର କେବେ ହେଁ କାହାର ଖୋସାମତ କରିବ ନାହିଁ କିମ୍ବା ସତ୍ୟରୁ ବିଚଳିତ ହେବନାହିଁ । ଗୋଟିଏ ସମ୍ବାଦପତ୍ରର ଭୂମିକାକୁ ଏହିଭଳି ସରଳ ଭାଷାରେ ପ୍ରକାଶ କରିଥିଲେ ଡକ୍ଟର ମହତାବ । ପ୍ରତ୍ୟେକ ସମୟରେ ସମ୍ବାଦପତ୍ରର ଲକ୍ଷ୍ୟ ଓ ଭୂମିକା ବେସାଲିସ, ସ୍ପଷ୍ଟ, ଲୋକାଭିମୁଖୀ ଓ ସତ୍ୟାଶ୍ରୟୀ ହେବା ଉଚିତ । ଏସବୁକୁ ପ୍ରଜାତନ୍ତ୍ର ଅନୁପାଳନ କରିଆସିଛି ଏବଂ ପ୍ରଜାତନ୍ତ୍ର ଓଡ଼ିଆ ଅସ୍ମିତାର ପ୍ରତିନିଧି ବୋଲି ଏହାର ୭୭ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ।


ଶୁକ୍ରବାର ପୂର୍ବାହ୍ନରେ ପ୍ରଜାତନ୍ତ୍ର ପରିସରସ୍ଥ ବିଷୁବ ମଣ୍ଡପରେ ନ୍ୟାୟମୂର୍ତ୍ତି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରକାଶ ପାଇଥିଲା ପ୍ରଜାତନ୍ତ୍ର । ୧୯୨୩ରୁ ୧୯୩୨ଭିତରେ ପ୍ରଜାତନ୍ତ୍ର ଗ୍ରହଣ କରିଥିଲା ବିପ୍ଲବୀର ଭୂମିକା । ସ୍ୱାଧୀନତା ଆନେ୍ଦାଳନର ପୃଷ୍ଠଭୂମି ଉପରେ ଲୋକ ସଚେତନତା ସୃଷ୍ଟି କରିବାରେ ପ୍ରଜାତନ୍ତ୍ର ପାଲଟିଥିଲା ତକôାଳୀନ ଓଡ଼ିଶାରେ ସଂଗ୍ରାମୀମାନଙ୍କର ପ୍ରେରଣା । ସମ୍ପାଦକୀୟରେ ପ୍ରକାଶ ପାଉଥିଲା ଗ୍ରାମ ପଞ୍ଚାୟତ, ଦେଶ ମିଶ୍ରଣ, ଜାତୀୟ ଶିକ୍ଷା, ରାଜବନ୍ଦୀ, ଦୁର୍ଭିକ୍ଷ ଓ ତାର ନିରାକରଣ, ସ୍ୱରାଜ୍ୟ, ଉକôଳ ସମ୍ମିଳନୀ ଉପରେ ଆଲେଖ୍ୟ । ତତ୍ସହିତ ବିଧବା ବିବାହ, ଛୁଆଁ ଅଛୁଆଁ ଭେଦଭାବ, ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ମଧ୍ୟ ପ୍ରଜାତନ୍ତ୍ର ହିଁ ସୃଷ୍ଟି କରିଥିଲା ଅଭୂତପୂର୍ବ ସଚେତନତା । ପ୍ରଜାତନ୍ତ୍ରର ବିପ୍ଳବୀ ଭୂମିକାକୁ ଲକ୍ଷ୍ୟ କରି ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ଲେଖିଥିଲେ, ପ୍ରଜାତନ୍ତ୍ର ଅତ୍ୟାଚାର ବିରୁଦ୍ଧରେ ପ୍ରଜାଙ୍କ ପକ୍ଷ ସମର୍ଥନ କରୁଛି, ସେହିପରି କରୁଥାଉ । ଓଡ଼ିଆ ଲୋକଙ୍କ ପ୍ରାଣକୁ ଛୁଉଁଥିଲା ପ୍ରଜାତନ୍ତ୍ର ଏବଂ ସ୍ୱାଧୀନତା, ସ୍ୱରାଜ ତଥା ସମାଜ ସଂସ୍କାର ଦିଗରେ ପ୍ରଜାତନ୍ତ୍ରର ସିଂହନାଦ ଅବଦମିତ ପ୍ରଜାଙ୍କ ଭିତରେ ସୃଷ୍ଟିକରିଥିଲା ଅପୂର୍ବ ଜାଗରଣ । ଓଡ଼ିଶାର ଅନ୍ୟତମ ପ୍ରାଚୀନ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ ନିଜର ସତସ୍ତରି-ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରୁଛି ଓ ଏଥିରେ ଯୋଗଦେବା ଆନନ୍ଦର ବିଷୟ । ଏହି ଅବସରରେ ଅନେକ ସ୍ମୃତି ମନକୁ ଆନେ୍ଦାଳିତ କରୁଛି । ଓଡ଼ିଆ ଜାତିର ଗତି, ପ୍ରଗତି, ଅର୍ଥନୈତିକ ଓ ସାମାଜିକ ବିକାଶ, ଲୋକସମସ୍ୟାର ଉତ୍ଥାପନ ଆଦି କ୍ଷେତ୍ରରେ ପ୍ରଜାତନ୍ତ୍ର ଭଳି ଏକ ସମ୍ୱାଦପତ୍ରର ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ ରହିଆସିଛି, ସେ ସମ୍ପର୍କରେ ଯେତେ କହିଲେ କମ୍ ହେବ । ସ୍ୱାଧୀନତା ସଂଗ୍ରାମର ଝଡ଼ଝଞ୍ଜା ଭିତରେ ବିପ୍ଳବ ଓ ବିବେକର ଆଲୋକ ବର୍ତ୍ତିିକା ପ୍ରଜାତନ୍ତ୍ର ହେଲା ଉପନିବେଶ ଶକ୍ତିଙ୍କ ରୋଷ ଓ କ୍ରୋଧର ଶିକାର । ଏହି ମହାନ୍ ଖବରକାଗଜ ବନ୍ଦ ହୋଇଗଲା କିଛି ବର୍ଷ ପାଇଁ । ଡକ୍ଟର ମହତାବ ନିକ୍ଷେପିତ ହେଲେ କାରାଗାରରେ । ୧୯୪୭ରେ ଠିକ୍ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଅର୍ଥାତ ସ୍ୱାଧୀନତାପ୍ରାପ୍ତିର ମାତ୍ର ସପ୍ତାହକ ପୂର୍ବରୁ ପୁଣି ପ୍ରକାଶ ପାଇଲା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସମ୍ବାଦ ଓ ଅସ୍ମିତାର ପ୍ରତିନିଧି ପ୍ରଜାତନ୍ତ୍ର । ଦେଶ ସ୍ୱାଧୀନ ହେଲା, ଭୂମି ଓ ଭୂମିକା ବଦଳିଥିଲା । କିନ୍ତୁ, ଯାହା ଅପରିବର୍ତ୍ତନୀୟ ରହିଥିଲା, ତାହା ହେଉଛି ଲୋକସମସ୍ୟାର ଉତ୍ଥାପନ ଓ ସତ୍ୟର ପ୍ରକାଶ । ଓଡ଼ିଶାରେ ନବନିର୍ମାଣର ଯୁଗ ଆରମ୍ଭ ହୋଇଥିଲା । ଡକ୍ଟର ମହତାବ ଏହି ନିର୍ମାଣର ଥିଲେ ଅନ୍ୟତମ ପ୍ରମୁଖ ବିନ୍ଧାଣୀ । କିନ୍ତୁ, ପ୍ରଜାତନ୍ତ୍ର ଜନସମସ୍ୟା ଉତ୍ଥାପନରେ ପୂର୍ବଭଳି ଅଗ୍ରଣୀ ଭୂମିକା ନେଉଥିଲା । ୧୯୫୪ର ମରୁଡ଼ି, ୧୯୫୫ର ବନ୍ୟା, ସୀମା ଆନେ୍ଦାଳନ, ୧୯୬୪ର ଛାତ୍ର ଆନେ୍ଦାଳନର ଖବର ସହିତ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂରେଇବାରେ ଲାଗିପଡ଼ିଥିଲା ପ୍ରଜାତନ୍ତ୍ର । ମୀନାବଜାର, ରୂପ ରସ ଛନ୍ଦ ଆଦି ସ୍ତମ୍ଭ ସହିତ ଡାଇଜେଷ୍ଟ ପ୍ରତିଭା, ଇଂରାଜୀ ଖବରକାଗଜ ଇଷ୍ଟର୍ଣ ଟାଇମ୍ସ, ସାହିତ୍ୟ ପତ୍ରିକା ଝଙ୍କାର ଓ ପ୍ରଜାତନ୍ତ୍ର ସାପ୍ତାହିକୀ ଆଦି ପ୍ରକାଶ ପାଇ ଅଭୂତପୂର୍ବ ଲୋକପ୍ରିୟତା ପାଇଥିଲା । ପବିତ୍ର ବିଷୁବ ସଂକ୍ରାନ୍ତିରେ ସାହିତି୍ୟକମାନଙ୍କ ବିଷୁବ ମିଳନ ଏକ ମହାନ୍ ବାର୍ଷିକ ଉତ୍ସବରେ ପରିଣତ ହୋଇଥିଲା । ଡକ୍ଟର ମହତାବଙ୍କ “ଗାଁ ମଜ୍ଲିସ’ କେବଳ ପାଠକୀୟ ଆଦୃତି ପାଇ ନ ଥିଲା, ଏହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲା । ପ୍ରଜାତନ୍ତ୍ର ଆଜିପର୍ଯ୍ୟନ୍ତ ନିଜ ସ୍ୱତନ୍ତ୍ରତା ଓ ମର୍ଯ୍ୟାଦା ବଜାୟ ରଖିଛି । କୁହାଯାଏ ଯେ ଗୋଟିଏ ସମ୍ବାଦପତ୍ର ହେଉଛି, ରାଷ୍ଟ୍ରର ନିଜ ନାଗରିକଙ୍କ ସହିତ ବାର୍ତ୍ତାଳାପ । ଡକ୍ଟର ମହତାବଙ୍କ ସୁଯୋଗ୍ୟ ପୁତ୍ର ଭର୍ତ୍ତୃହରି ମହତାବ ପ୍ରଜାତନ୍ତ୍ରକୁ ଆହୁରି ଉଚ୍ଚକୁ ନେଇଛନ୍ତି । ପ୍ରଜାତନ୍ତ୍ରର ଅର୍ଥ ହେଉଛି ଗଣତନ୍ତ୍ର । ଲୋକଙ୍କ ପାଇଁ ସମ୍ବାଦପତ୍ର । ଆମ ସରକାର ଲୋକଙ୍କ ସରକାର । ଖବରକାଗଜ ଗୁଡିକରେ ଲୋକମତର ସଠିକ୍ ପ୍ରତିଫଳନ ହେଲେ ସରକାର ମଧ୍ୟ ଅଧିକ ସକ୍ରିୟ ଓ ଲୋକାଭିମୁଖୀ ହୋଇପାରିବେ । ଏଥିପାଇଁ ସମ୍ବାଦପତ୍ରକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ । ପ୍ରଜାତନ୍ତ୍ର ସହିତ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷ, ସମ୍ପାଦନା ମଣ୍ଡଳୀ, ପାଠକ ଓ ପୃଷ୍ଠପୋଷକ ମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

ସ୍ୱାଗତ ଭାଷଣ ପ୍ରଦାନକରି ପ୍ରଜାତନ୍ତ୍ର ପ୍ରଚାର ସମିତିର ଅଧ୍ୟକ୍ଷ ତଥା ସମ୍ପାଦକ ଭର୍ତ୍ତୃହରି ମହତାବ କହିଥିଲେ ଯେ ପ୍ରଜାତନ୍ତ୍ରପ୍ରତି ଜନମାନସରେ ରହିଥିବା ବିଶ୍ୱାସ ଆଜି ମଧ୍ୟ ଅତୁଟରହିଛି । ଜନମତକୁ ଜାଗ୍ରତ କରି ବାଟହୁଡ଼ୁଥିବା ଶାସନକଳକୁ ରାସ୍ତାକୁ ଆଣିବା ଏବଂ ସାମାଜିକ ସଚେତନତା ସୃଷ୍ଟିକରିବା କାର୍ଯ୍ୟ ନିରବଚ୍ଛିନ୍ନଭାବରେ କରିଚାଲିଛି ପ୍ରଜାତନ୍ତ୍ର । ଓଡ଼ିଆ ଭାଷା, ସାହିତ୍ୟ ଓ ଅସ୍ମିତା ରକ୍ଷାପାଇଁ ଡକ୍ଟର ମହତାବ ଯେଉଁ ପରିକଳ୍ପନା କରିଥିଲେ, ପ୍ରଜାତନ୍ତ୍ର ଆଜି ମଧ୍ୟ ସେହି ସଂକଳ୍ପ ନେଇ ଅଗ୍ରସର ହେଉଛି । ଅନେକ ଆନେ୍ଦାଳନରେ ପ୍ରଜାତନ୍ତ୍ରର ଭୂମିକାକୁ କେହି ଅସ୍ୱୀକାର କରିପାରିବେନାହିଁ । ସେ ଛାତ୍ରଆନେ୍ଦାଳନ ହେଉ ଅବା ଏମର୍ଜେନ୍ସିକୁ ବିରୋଧ; ପ୍ରତିଟିକ୍ଷେତ୍ରରେ ପ୍ରଜାତନ୍ତ୍ର ନେଇଥିଲା ଦୃଢ଼ ଓ ଅଗ୍ରଣୀ ନେତୃତ୍ୱ । ନିସ୍ୱାର୍ଥପର ଭାବେ ଆଉ ସାମ୍ବାଦିକତା ହେଉଥିବାର ଦେଖାଯାଉନଥିôବା ବେଳେ ପ୍ରଜାତନ୍ତ୍ର କିନ୍ତୁ ନିଷ୍ଠାପର ଭାବେ ନିଜର ଲକ୍ଷ୍ୟରେ ଅଗ୍ରସର ହେଉଛି । ଯାବତୀୟ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ପ୍ରଜାତନ୍ତ୍ର ନିଜକୁ ପ୍ରତିପାଦିତ କରିଆସିଛି ବୋଲି ଶ୍ରୀ ମହତାବ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଥିଲେ, ପ୍ରଜାତନ୍ତ୍ର ଏକ ରାଜନୈତିକ ଅନୁଷ୍ଠାନ ନୁହେଁ, ବରଂ ଏହା ଜନଗଣଙ୍କ ମୁଖପତ୍ର । ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ଏହା ହେଉଛି ଅନ୍ତୁଡ଼ିଶାଳ । ‘ବାଟେଘାଟେ’ର ବ୍ୟଙ୍ଗ ସାମ୍ପ୍ରତିକ ସମାଜ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛି । ୧୯୮୩ ଛାତ୍ର ଆନେ୍ଦାଳନ ସମୟରେ ଡକ୍ଟର ମହତାବଙ୍କ ପରାମର୍ଶ ଆଜି ବି ସ୍ମରଣୀୟ ହୋଇରହିଛି । ପ୍ରଜାତନ୍ତ୍ର ଓଡ଼ିଶାର ଜନଜୀବନକୁ ଓ ସମାଜର ପ୍ରତିଟି କ୍ଷେତ୍ରକୁ ସ୍ପର୍ଶ କରିଥିଲା । ସବୁଠି ଦେଖିବାକୁ ମିଳୁଥିଲା ପ୍ରଜାତନ୍ତ୍ରର ପଦଚିହ୍ନ । ଶ୍ରୀ ଆଚାର୍ଯ୍ୟ ଏହି ଅବସରରେ ପ୍ରଜାତନ୍ତ୍ରର ବାର୍ତ୍ତା ସମଗ୍ର ରାଜ୍ୟରେ ବିସ୍ତାରିତ ହେଉବୋଲି କହିଥିଲେ ।

ସେହିଭଳି ସମ୍ମାନିତ ଅତିଥି ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡ. ସଞ୍ଜୟ ନାୟକ କହିଥିଲେ ଯେ ପ୍ରଜାତନ୍ତ୍ର ଆମ ସମସ୍ତଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର । ଏହା ମାଧ୍ୟମରେ ଡକ୍ଟର ମହତାବ ସମଗ୍ର ଓଡ଼ିଶା ପାଇଁ ଯେଉଁ ପରିକଳ୍ପନା କରିଛନ୍ତି ତାହା ଅବିସ୍ମରଣୀୟ ହୋଇ ରହିବ । ରେଭେନ୍ସା ସହିତ ଡକ୍ଟର ମହତାବଙ୍କ ସମ୍ପର୍କ ଏବଂ ତାଙ୍କର ଛାତ୍ରଜୀବନ ସମ୍ପର୍କରେ ଡକ୍ଟର ନାୟକ ବକ୍ତବ୍ୟ ରଖିଥିଲେ ସଭାପତି ନ୍ୟାୟମୂର୍ତ୍ତିି ଲକ୍ଷ୍ମୀକାନ୍ତ ମହାପାତ୍ର ନିଜ ବକ୍ତବ୍ୟରେ ସ୍ୱାଧୀନତା ସଂଗ୍ରାମରେ ପ୍ରଜାତନ୍ତ୍ରର ଅବଦାନ ଏବଂ ଏହାର ପରବର୍ତ୍ତର୍ୀ ସମୟରେ ପ୍ରଜାତନ୍ତ୍ରର ଅଗ୍ରଣୀ ଭୂମିକାକୁ ନେଇ ଚର୍ଚ୍ଚା କରିଥିଲେ । ସେ କହିଥିଲେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧତାର ବିଚାରକୁ ସବୁବେଳେ ପ୍ରାଥମିକତା ଦେଇ ଆସିଛି ପ୍ରଜାତନ୍ତ୍ର । ଓଡ଼ିଶାର ସର୍ବାଙ୍ଗିନ ବିକାଶ କ୍ଷେତ୍ରରେ ଡକ୍ଟର ମହତାବ ଏବଂ ପ୍ରଜାତନ୍ତ୍ରର ଅବଦାନକୁ କେହି କଦାପି ଭୁଲି ପାରିବେନାହିଁ ।

ଉତ୍ସବରେ ସ୍ୱେଚ୍ଛାସେବକ ବାବୁଲି ବେହେରା ଏବଂ ସାମାଜିକ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସନକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ଏଥିରେ ପ୍ରଜାତନ୍ତ୍ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସ୍ମାରକୀ ସଂକଳନକୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ବାର୍ତ୍ତା ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାହ୍ନରେ ‘ଓଡ଼ିଶାର ଗଣମାଧ୍ୟମକୁ ପ୍ରଜାତନ୍ତ୍ରର ଅବଦାନ’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ, ଗାନ୍ଧିବାଦୀ ଚିନ୍ତକ ଓ ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ ଏବଂ ‘ନବୀନ’ର ସମ୍ପାଦକ ରବି ରଥ ଅତିଥିଭାବେ ଯୋଗଦାନ କରିଥିଲେ । କଟକ ସହରରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.