ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ତିନିଜଣିଆ ପୀଠ ଶୁକ୍ରବାର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ପୀଠ ଆହୁରି କହିଛନ୍ତିି ଯେ ନିଟ୍‌-ପିଜି ପରୀକ୍ଷା ସ୍ଥଗିତ ରଖି ୨ ଲକ୍ଷ ପରୀକ୍ଷାର୍ଥୀଙ୍କ କ୍ୟାରିୟର ପାଇଁ କ୍ଷତି ପହଞ୍ଚାଇବା ଆଦୌ ଯୁକ୍ତିସଙ୍ଗତ ନୁହେଁ । ସୂଚନାଯୋଗ୍ୟ ଜୁନ ୨୩ରେ ନିଟ୍‌-ପିଜି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ତେବେ ସେହି ସମୟରେ ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ଚର୍ଚ୍ଚାର ବିଷୟ ପାଲଟିଥିବାରୁ ଜୁନ ୨୨ରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ପରୀକ୍ଷାକୁ ପୁଣି ସ୍ଥଗିତ ରଖିବାକୁ କେତେକ ଛାତ୍ର ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ। ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ ଅଗଷ୍ଟ ୧୧ (ରବିବାର) ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କୁ ଅଗଷ୍ଟ ୮ (ଗୁରୁବାର)ରେ ସୂଚିତ କରାଯାଇଥିଲା। ପୁନଶ୍ଚ ଅଧିକାଂଶ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ଅନ୍ୟ ସହରରେ ଥିବାରୁ ସ୍ବଳ୍ପ ସମୟ ମଧ୍ୟରେ ସେଠାରେ ପହଞ୍ଚିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡିବ।

Leave A Reply

Your email address will not be published.